ପୁରୀ: ପୁରୀ ଜିଲ୍ଲା ସ୍କୁଲ୍ ପରିସରରେ ଓଡ଼ିଶା ଶିକ୍ଷା ସର୍ବେକ୍ଷଣ ପ୍ରୋଗ୍ରାମର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ପିଲାମାନେ ଅଧାରୁ ପାଠ ଛାଡ଼ିଥିଲେ, ବିଭିନ୍ନ କାରଣରୁ ମୂଳରୁ ପାଠ ପଢ଼ିବା ପାଇଁ ଆଡିମିସନ୍ କରି ନ ଥିଲେ ଓ ଯେଉଁ ଭିନ୍ନକ୍ଷମ ପିଲାମାନେ ସମାଜରେ ଅଣଦେଖା ହୋଇ ପାଠ ପଢୁ ନ ଥିଲେ ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର୍ ସିସି ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇ ଦିଆଯିବା ସହ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି ।ସେହି ପିଲା ମାନଙ୍କ ମଧ୍ୟରୁ ବିଭିନ୍ନ ଶ୍ରେଣୀର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ସେମାନଙ୍କୁ ଚିହ୍ନଟ କରାଇ ମୁଖ୍ୟ ସ୍ରୋତରେ ସାମିଲ କରାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ମାନଙ୍କୁ ନେଇ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଇଏଏସ ଜୀବନ କୁମାର ଓ ଆଇଏଏସ କୌଶଳେନ୍ଦ୍ର ପ୍ରତାପ ସିଂହ ତଥା ଆଇଏଏସ ସନ୍ତୋଷ କୁମାର ରାଉତ, ଯୁଗ୍ମ ନିର୍ଦ୍ଦେଶକ, ସମଗ୍ର ଶିକ୍ଷା, ଓଡ଼ିଶା ଓ ଦୀପକ କୁମାର ରାୟ, ସହାୟକ ନିର୍ଦ୍ଦେଶକ , ଓସେପା, ଓଡ଼ିଶା ସମୀକ୍ଷକ ରୂପେ ଯୋଗଦାନ କରିଥିଲେ । ସେମାନେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ,ସି ଆର୍ ସିସି ଓ ଅଭିଭାବକ ମାନଙ୍କ ଠାରୁ ମଧ୍ୟ ପିଲାମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ପିପିଟି ପ୍ରଦର୍ଶନ ମାଧ୍ୟମରେ ଏ ସମ୍ପର୍କରେ ସମଗ୍ର ଜିଲ୍ଲାର ତଥ୍ୟ ବିଷଦ ଭାବେ ଉପସ୍ଥାପନ ଓ ତର୍ଜମା କରିଥିଲେ । ଏହାର ସାମଗ୍ରିକ ପ୍ରସ୍ତୁତି ଡପିସି ଓ ଡିଇଓ ଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ୱିତୀକାନ୍ତ ପ୍ରଧାନ ଓ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ୍, ପୁରୀ ଜିଲ୍ଲା ସ୍କୁଲ୍ ର ମଞ୍ଜୁଲତା ସାମନ୍ତରାୟ, ବିଶ୍ୱଜିତ୍ ବାନାର୍ଜୀ, ଜିଲ୍ଲା ସ୍କୁଲ୍ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ରାୟ, ଆଲୁମିନି କମିଟି ସଭାପତି ରାଜକିଶୋର ପାତ୍ର, ପୁରୀଜିଲ୍ଲାର ସମସ୍ତ ମଣ୍ଡଳ ଶିକ୍ଷାଧିକାରୀ, ସମସ୍ତ ସିଆରସିସି ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
