ତିରୁବନନ୍ତପୁରମ୍: ଗତବର୍ଷ କୁମ୍ଭମେଳା ସମୟରେ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ବୁଧବାର ପାରିବାରିକ ବିବାଦ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୋନାଲିସା ନିଜ ବନ୍ଧୁୁ ମହମ୍ମଦ ଫରମାନ (୨୫)ଙ୍କ ସହ ରହିବାକୁ ଚାହାନ୍ତି। ହେଲେ ଏହାକୁ ତାଙ୍କ ପିତା ବିରୋଧ କରୁଛନ୍ତି। ସେ ତାଙ୍କୁ ମଧ୍ୟପ୍ରଦେଶର ନିଜ ଜନ୍ମସ୍ଥାନକୁ ନେଇଯିବାକୁ ବାଧ୍ୟ କରୁଛନ୍ତି। ଏହି ଘଟଣାକୁ ନେଇ ମୋନାଲିସା ଥାମ୍ପାନୁର ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ କହିଛି ଯେ ମୋନାଲିସା ତାଙ୍କ ବାପାଙ୍କ ସହ ଏକ ଫିଲ୍ମ ପ୍ରୋଜେକ୍ଟର ପୂଜା ଉତ୍ସବରେ ଯୋଗଦେବା ପାଇଁ ସହରରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ବାପା ତାଙ୍କୁ ନିଜ ସହିତ ମଧ୍ୟପ୍ରଦେଶର ଫେରିବାକୁ ବାଧ୍ୟ କରୁଛନ୍ତି। ପୋଲିସକୁ କହିଛନ୍ତି ଯେ ମୋନାଲିସା ଫରମାନଙ୍କ ସହିତ ଚାଲିଯିବାକୁ ଚାହାଁନ୍ତି। ତାଙ୍କ ବୟସ ୧୮ ବର୍ଷ ବୋଲି ଯାଞ୍ଚ କରିବା ପରେ, ପୋଲିସ ତାଙ୍କୁ ଫରମାନଙ୍କ ସହିତ ଯିବାକୁ ଅନୁମତି ଦେଇଛି। ଏ ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ ମୋନାଲିସା ଓ ଫରମାନ ବୁଧବାର ସନ୍ଧ୍ୟାରେ ନେୟତ୍ତିନକାରାର ଅରୁମାନୁର ନୈନାର ମନ୍ଦିରରେ ବିବାହ କରିବାକୁ ଯୋଜନା କରୁଛନ୍ତି। କାରଣ ଫରମାନଙ୍କ ବନ୍ଧୁଙ୍କ ଘର ସେହି ଅଞ୍ଚଳରେ ଅବସ୍ଥିତ। ପୋଲିସର କହିବା ଅନୁଯାୟୀ, ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ଫରମାନ ବର୍ଷେ ହେଲା ଆଲୁଭାରେ ରହୁଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ତାମିଲ ଏବଂ ମାଲାୟଲମ୍ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରକଳ୍ପରେ ଅଭିନୟ ଏବଂ ସହାୟତା କରୁଛନ୍ତି।
