ବାରିପଦା; ସରକାରଙ୍କ ବିକାଶର ଦାବି ଯେତେ ବଡ଼, ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ସେତେ ଭିନ୍ନ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଘୋଳମୁହାଁ ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗାତାଣ୍ଡି ଗାଁର ଚିରିଲଡିହିରେ ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଅସୁସ୍ଥ ରୋଗୀଙ୍କୁ ପ୍ରାୟ ଦୁଇ କିଲୋମିଟର ଖଟିଆରେ ବୋହି ଆଣିବାକୁ ପଡ଼ିଲା। ଏହି ଘଟଣା ପୁଣିଥରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ହେଉଛି ମୋରଡା ବ୍ଲକର ଘୋଳମୁହାଁ ପଞ୍ଚାୟତ ଅନ୍ତର୍ଗତ ଚିରିଲଡିହିକୁ ଯାଇଥିବା ରାସ୍ତାର ଚିତ୍ର। ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିବା ଏହି ରାସ୍ତାରେ ଚଳାଚଳ କରିବା ଅସମ୍ଭବ ହୋଇପଡ଼ିଛି। ଜରୁରୀ ଚିକିତ୍ସା ପାଇଁ ଆସିଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଅଟକି ଯାଇଥିଲା। ଉପାୟ ନପାଇ ଆମ୍ବୁଲାନ୍ସ କର୍ମଚାରୀ ଓ ରୋଗୀଙ୍କ ପରିବାର ଲୋକେ ମିଶି ରୋଗୀଙ୍କୁ ଖଟିଆରେ ଶୁଆଇ ପ୍ରାୟ ଦୁଇ କିଲୋମିଟର ବୋହି ଆଣିଥିଲେ। ବହୁ କଷ୍ଟରେ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇ ହସ୍ପିଟାଲକୁ ନିଆଯାଇଥିଲା। ଏହି ଦୃଶ୍ୟ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ଓ ଯୋଗାଯୋଗ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ପ୍ରତିବର୍ଷ ବର୍ଷା ଦିନେ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ୁଛି ରୋଗୀ, ଗର୍ଭବତୀ ମହିଳା ଓ ବୃଦ୍ଧମାନଙ୍କ ଉପରେ। ଏହି ଘଟଣା ପରେ ପ୍ରଶ୍ନ ଉଠୁଛି—ଯଦି ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ଥାଆନ୍ତା, ତେବେ ତାହାର ଦାୟିତ୍ୱ କିଏ ନେଇଥାନ୍ତା? ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଦାବି ମଧ୍ୟରେ ଆଜି ବି ଗାଁର ଲୋକେ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ। ଏବେ ଦେଖିବାକୁ ବାକି ରହିଲା, ଏହି ଘଟଣା ପରେ ପ୍ରଶାସନ କେତେ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ କରୁଛି।
