ବାରିପଦା /ସାହାରପଡା; କେନ୍ଦୁଝର ଜିଲ୍ଲା, ପାଟଣା ଥାନା ଅନ୍ତର୍ଗତ ସାହାରପଡା ଫାଣ୍ଡି ଅଧୀନ ବଡ଼ବିଲ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ମଙ୍ଗଳବାର ଅପରାହ୍ନରୁ ନିଖୋଜ ଥିବା ଦ୍ରୋପଦୀ ମହାନ୍ତ (୫୧)ଙ୍କ ମୃତଦେହ ବୁଧବାର ସକାଳେ ପ୍ରଧାନସାହି ନିକଟ ଶାଳ ଜଙ୍ଗଲ କଡ଼ରେ ଥିବା ବଡ଼ ନାଳିଆରୁ ଉଦ୍ଧାର କରାଯାଇଛି। ପରିବାର ଲୋକେ ସାରାରାତି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ବୁଧବାର ଗ୍ରାମବାସୀ ନାଳିଆରେ ମୃତଦେହ ଦେଖି ସାହାରପଡା ଫାଣ୍ଡିକୁ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ ପାର୍ଥ ଓରାମଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇଛି। ପ୍ରାଥମିକ ତଦନ୍ତରୁ ମହିଳା ଜଣକ ନାଳିଆରେ ଖସି ପଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଏହି ଘଟଣା ପରେ ସମଗ୍ର ବଡ଼ବିଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
