ବାଲିଅନ୍ତା: ଏକ ଜମିଜମା ସଂକ୍ରାନ୍ତୀୟ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଉଲଂଘନ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି କ୍ଷ ସେମାନେ ହେଲେ ସ୍ଥାନୀୟ ଶିଶୁପାଳଗଡ଼ ଗ୍ରାମର ବିବୁନା ଓରଫ ପ୍ରଦ୍ୟୁମ୍ନ ଜେନା ଏବଂ ବଡ଼ଗଡ଼ ଥାନା ଟଙ୍କପାଣି ରୋଡ଼ ଶିବନଗର କଲୋନୀର କନିଷ୍କ ପରିଡା କ୍ଷ ଖବରରୁ ପ୍ରକାଶ ଯେ ଭୁବନେଶ୍ୱର ତହସିଲ ରଘୁନାଥପୁର ମୌଜାର ଏକ ଜମିର ମାଲିକାନାକୁ ନେଇ କୈଳାସ ଚନ୍ଦ୍ର ଦାସ ଏବଂ ଅଭିଯୁକ୍ତ କନିଷ୍କ କୁମାର ପରିଡ଼ାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହି ମାମଲାରେ ହାଇକୋର୍ଟ ଉକ୍ତ ଜମି ଉପରେ “ଷ୍ଟାଟସ୍ କୋ’ ଆଦେଶ ଜାରି କରିଥିଲେ। ମାତ୍ର ଗତ ଜୁଲାଇ ୮ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ କନିଷ୍କ ଏବଂ ପ୍ରଦ୍ୟୁମ୍ନ ନିଜର ଅନ୍ୟ ସହଯୋଗୀମାନଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ସେମାନେ ଖଣ୍ଡା, ଭୁଜାଲି, ଫାର୍ସା ଆଦି ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ ଏବଂ ଅଭିଯୋଗକାରୀ ଶ୍ରୀ ଦାସଙ୍କୁ ନିଚ ଜାତି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସେମାନେ ସରକାରୀ ଜମିରେ ଥିବା ପଥରକୁ ଆଣି ଜୋରଜବରଦସ୍ତ ଅଭିଯୋଗକାରୀଙ୍କ ଜାଗାରେ ପକାଇବା ସହ ଏକ ଜେସିବି ଲଗାଇ ତାଙ୍କର ୩ଟି ଦୋକାନର ସଟର୍ ଭାଙ୍ଗି ବ୍ୟାପକ କ୍ଷତିଗ୍ରସ୍ତ କରିଥିଲେ। ଧଉଳି ପୋଲିସ ଏହି ବିଶୃଙ୍ଖଳା ଓ ଦାଦାଗିରିର ତଦନ୍ତ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ପୂର୍ବରୁ ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଆଜି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କନିଷ୍କ ଏବଂ ପେସାଦାର ଅପରାଧୀ ପ୍ରଦ୍ୟୁମ୍ନକୁ ବିଧିବଦ୍ଧ ଭାବେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଅଞ୍ଚଳର ଜଣାଶୁଣା ପେସାଦାର ଅପରାଧୀ। ଏହି ସମାନ ଜମି ବିବାଦରେ ପୋଲିସକୁ ଆକ୍ରମଣ କରିବା ନେଇ ଉଭୟଙ୍କ ନାମରେ ପୂର୍ବରୁ ଆଉ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ବିବୁନା ଓରଫ ପ୍ରଦ୍ୟୁମ୍ନ ଜେନା ନାମରେ ପୂର୍ବରୁ ସର୍ବମୋଟ ୧୩ ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ କନିଷ୍କ କୁମାର ପରିଡ଼ା ନାମରେ ସର୍ବମୋଟ ୩ ଟି ମାମଲା ରହିଛି।
