ରଘୁନାଥପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଘଟିଛି ଅଘଟଣ।ଅସାବଧାନତା ବଶତ ପ୍ରଭୁଙ୍କ ସମ୍ମୁଖରେ ଜଳୁଥିବା ଦୀପଷ୍ଟାଣ୍ଡରୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗି ଜଣେ ବୟସ୍କ ମହିଳା ଗୁରୁତର ହୋଇପଡ଼ିଛନ୍ତି।ତାଙ୍କ ହାତ ଓ ଶରୀର ନିଆଁରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।ସେ ଜଗତସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ସବୁଠୁ ବଡ କଥା ହେଲା ରବିବାର ଛୁଟିଦିନ ଥିବା ଓ ବିଭାହଋତୁ ଉପଲକ୍ଷେ ପୀଠରେ ଶତାଧିକ ଲୋକ ଥିବାବେଳେ ହଟାତ ଆସନ୍ନ ବିପଦରୁ ସୁରକ୍ଷା ଦେବାପାଇଁ କୌଣସି କର୍ମଚାରୀ ସେଠାରେ ନିୟୋଜିତ ନରହିବା ନେଇ ଭକ୍ତଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।ଏହାଛଡା ପୀଠ କାର୍ଯ୍ୟାଳୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଥାଇ ସୁଧା ଆବଶ୍ୟକ ସମୟରେ କାର୍ଯ୍ୟରେ ଲଗା ଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନାଯୋଗ୍ୟ କି ଜଗତସିଂହପୁର ଅଞ୍ଚଳର ରାମକୃଷ୍ଣ ମେକାପ ନିଜ ପରିବାର ସହ ପୀଠକୁ ଦର୍ଶନ ପାଇଁ ଆସିଥିଲେ।ତାଙ୍କ ସହ ଆସିଥିବା ବୟସ୍କ ମହିଳା ଜଣଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରୁଥିବାବେଳେ ହଟାତ ପବନରେ ଶାଢୀର କାନି ଉଡି ଦିପଷ୍ଟାଣ୍ଡରୁ ନିଆଁ ଲାଗିଯାଇଥିଲା।ସେଠାରେ ଥିବା ଲୋକେ କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରିଥିଲେ।ସେତେବେଳକୁ ମହିଳାଙ୍କ ଶାଢୀ ସମ୍ପୂର୍ଣ ପୋଡି ଯାଇଥିଲା।ବିଳମ୍ବ ନକରି ତୁରନ୍ତ ରାମକୃଷ୍ଣ ନିଜ ଗାଡିରେ ମହିଳାଙ୍କୁ ମେଡିକାଲ ନେଇଯାଇଥିଲେ।ପୀଠ କିରାଣୀ ସରୋଜ ସାହାଣୀ ନିଆଁ ଲାଗିବା ସମ୍ପର୍କରେ ଜାଣିନଥିବା ଓ ଖବର ପାଇ ଆସିଲା ବେଳକୁ ଉକ୍ତ ମହିଳା ମେଡିକାଲ ଯାଇଥିବାର ସେ ପ୍ରକାଶ କରିଛନ୍ତି।ଏହାଛଡା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ସମ୍ପର୍କରେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅବଗତ ଥିବା ଓ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ ଜରୁରୀ ବୋଲି ପ୍ରକାଶ କରିଥିଲେ।ଆଗାମୀ ଦିନରେ କର୍ମଚାରୀଙ୍କୁ ଉକ୍ତ ସ୍ଥାନରେ ନିୟୋଜିତ କରାଯିବା ସହ ଆପାତ କାଳୀନ ମୁକାବିଲା ପାଇଁ ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଉପଜିଲ୍ଲାପାଳ ତରାଇ କହିଛନ୍ତି।
