ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱର୍ଗତ ହୃଦାନନ୍ଦ ପୁଟେଲଙ୍କ ସାନ ଝିଅ ଅନୁପମା ପୁଟେଲ (୨୩) ଶନିବାର ସନ୍ଧ୍ୟାବେଳେ ଘର ଛାତ ଉପରକୁ କିଛି କାମରେ ଯାଇଥିଲେ। ଛାତରୁ ତଳକୁ ପାହାଚ ଓଲ୍ହାଇବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇ ସେ ତଳକୁ ପଡ଼ିଯାଇଥିଲେ।ଘଟଣାସ୍ଥଳରେ ଗୁରୁତର ଆହତ ହେବା ସହ ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବା ଦେଖି ପରିବାରଲୋକେ ତୁରନ୍ତ ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡର ଗୁରୁତର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହିଁ ମୃତ୍ୟୁର ପ୍ରମୁଖ କାରଣ ବୋଲି ତାଙ୍କ ବଡ଼ ଭାଇ ସୂଚନା ଦେଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଲାଠୋର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଲାଠୋର ଥାନାଧିକାରୀ ଅଭିନାଶ ପଧାନ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ, ଅନୁପମାଙ୍କ ବାପାଙ୍କ ଦେହାନ୍ତ ପୂର୍ବରୁ ହୋଇଥିଲା। ବର୍ତ୍ତମାନ ପରିବାରରେ ତାଙ୍କ ମାଁ, ଦୁଇ ଭାଇ ଓ ସେ ରହୁଥିଲେ। ଘରର ଗେଲ୍ହା ଝିଅର ଏପରି ଆକସ୍ମିକ ମୃତ୍ୟୁରେ ପରିବାର ଉପରେ ଶୋକର ପାହାଡ଼ ଭାଙ୍ଗିପଡ଼ିଛି। ଦୁଇ ଭାଇ ଓ ମାଁ ଏହି ଅପୂରଣୀୟ କ୍ଷତିକୁ ନେଇ ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
