ଇସଲାମାବାଦ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁକୁ ନେଇ ରବିବାର ପାକିସ୍ତାନ କରାଚୀର ଆମେରିକୀୟ ବାଣିଜ୍ୟଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ସୁରକ୍ଷା ବାହିନୀ ଗୁଳିଚାଳନା କରିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଥିବା କୁହାଯାଉଛି। ଉତ୍ତ୍ୟକ୍ତ ଜନତା ଝରକା ଭାଙ୍ଗି ଦେଇଥିଲେ ଏବଂ ଆଇନ ପ୍ରବର୍ତ୍ତନକାରୀ ସେମାନଙ୍କୁ ଘଉଡ଼ାଇବା ପାଇଁ ବାଡ଼ି ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ହେଲେ ପରିସ୍ଥିତି ଅସମ୍ଭାଳ ହେବାରୁ ସେମାନଙ୍କ ଉପରେ ଆମେରିକୀୟ ଦୂତାବାସ ସୁରକ୍ଷା କର୍ମୀମାନେ ଗୁଳି ଚାଳନା କରିଥିଲେ। ଇସଲାମିକ୍ ଗଣରାଜ୍ୟ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମେନିଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ବାଣିଜ୍ୟଦୂତାବାସ ସମ୍ମୁଖରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପ୍ରାରମ୍ଭରେ ପ୍ରଦର୍ଶନକାରୀଙ୍କୁ ରୋକିବାରେ ସଫଳ ହୋଇଥିଲେ, କିନ୍ତୁ ଶେଷରେ ସେମାନେ ବାଣିଜ୍ୟଦୂତାବାସର ବ୍ୟାରିକେଡ୍ ଭାଙ୍ଗି ଝରକା ଭାଙ୍ଗି ଦେଇଥିଲେ। ପୋଡ଼ାଜଳାର ରିପୋର୍ଟ ମଧ୍ୟ ଆସିଛି। ପାକିସ୍ତାନ କହିଛି ଯେ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
