ତେହେରାନ: ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ଜାରି ରହିଥିବା ବେଳେ ଏକ ବଡ଼ ଘଟଣା ସାମନାକୁ ଆସିଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି। ଏ ନେଇ ରବିବାର ଇରାନର ସରକାରୀ ଗଣମାଧ୍ୟମ ନିଶ୍ଚିତ କରିଛି। ଇରାନୀ ନେତାଙ୍କ ପାଇଁ ୪୦ ଦିନିଆ ଶୋକ ଘୋଷଣା କରାଯାଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ସାମାଜିକ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଥିଲେ ଯେ ‘ଶନିବାର ପ୍ରତ୍ୟୁଷରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ୮୬ ବର୍ଷୀୟ ଖାମେନିଙ୍କ ମୃତ୍ୟୁ ହୋଇଥିଲା। ସେ ଆମର ଗୁପ୍ତଚର ଏବଂ ଅତ୍ୟନ୍ତ ଉନ୍ନତ ଟ୍ରାକିଂ ସିଷ୍ଟମକୁ ଏଡାଇ ପାରି ନଥିଲେ ଏବଂ ଇସ୍ରାଏଲ ସହିତ ଘନିଷ୍ଠ ଭାବରେ କାମ କରି, ସେ କିମ୍ବା ତାଙ୍କ ସହିତ ନିହତ ହୋଇଥିବା ଅନ୍ୟ ନେତାମାନେ କିଛି କରିପାରି ନଥିଲେ’ ବୋଲି ଟ୍ରମ୍ପ ଲେଖିଛନ୍ତି। “ଇରାନୀ ଜନତାଙ୍କ ପାଇଁ ସେମାନଙ୍କ ଦେଶକୁ ଫେରାଇ ନେବାର ଏହା ଏକମାତ୍ର ସର୍ବୋତ୍ତମ ସୁଯୋଗ,” ସେ କହିଛନ୍ତି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ ଖାମେନିଙ୍କ ମୃତ୍ୟୁ ହୋଇଥିବାର ସଙ୍କେତ ରହିଛି। ଖାମେନି ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ରହି ଆସିଥିଲେ।
