କଟକ: କଟକ ଦହିବରା ଆଳୁଦମ୍ର ମହକ ସାରା ବିଶ୍ୱରେ ପହଞ୍ଚିସାରିଲାଣି । କିନ୍ତୁ ଏହାକୁ ସ୍ୱତନ୍ତ୍ର ଭାରତୀୟ ଖାଦ୍ୟ ଭାବେ ଜିଆଇ (ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍) ମାନ୍ୟତା ମିଳିନାହିଁ । ଏ ଦିଗରେ ୨୦୨୫ ବର୍ଷ ଶେଷ ସୁଦ୍ଧା କୌଣସି ଉଦ୍ୟମ ନଥିଲା । କିନ୍ତୁ ଚଳିତବର୍ଷ ଆରମ୍ଭରୁ ଦହିବରା ଆଳୁଦମ୍ କୁ ଜି.ଆଇ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନର ସହଯୋଗରେ କଟକ ଦହିବରା ଆଳୁଦମ୍ ବ୍ୟବସାୟୀ ସଂଘ ବାରମ୍ବାର ବୈଠକ କରି ଜିଆଇ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଥିପାଇଁ ଚେନ୍ନାଇରୁ ଫର୍ମ ପାଇଁ ଆବେଦନ କରାଯାଇଛି । ଇତିମଧ୍ୟରେ ମାନ୍ୟତା ପାଇଁ ଆବଶ୍ୟକ ଦସ୍ତାବିଜ୍ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଏକ କନ୍ସଲ୍ ଟାନ୍ସି ସଂସ୍ଥାକୁ ସର୍ଭେ ଓ ତଥ୍ୟ ପ୍ରସ୍ତୁତ କରିବାକୁ ନିଯୁକ୍ତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍?ସିତା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି । ଆବେଦନ ପାଇଁ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରାଯାଇ ଦହିବରା ଆଳୁଦମ୍ ସଂଘ ମାର୍ଫତ୍ ରେ ଜିଆଇ ମାନ୍ୟତା ପାଇଁ ଆବେଦନ ହେବ ବୋଲି ଜଣାପଡିଛି । ଜିଲ୍ଲା ପ୍ରଶାସନ ଓ ଏମ୍ ଏସ୍ ଏମ୍ ଇ ବିଭାଗ ଏ ଦିଗରେ ସମସ୍ତ ସହଯୋଗ ଯୋଗାଇଦେବ । ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ । କଟକ ସହରରେ ବାର୍ଷିକ ୨୦କୋଟି ଟଙ୍କାର ଦହିବରା ଆଳୁଦମ୍ କାରବାର ହୁଏ । ଖାଦ୍ୟର ସ୍ୱତନ୍ତ୍ରତା ଦୃଷ୍ଟିରୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ତାଲିକାରେ ଏହା ଉପରେ ରହିଛି । ବିଡ଼ାନାସୀ ଚୁଲି ମୁଣ୍ଡରୁ ବାହାରି ଦୁବାଇ ପର୍ଯ୍ୟନ୍ତ ମହକ ଖେଳାଇଥିବା କଟକ ଦହିବରା ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଯଦିଓ ଏବେ ସାରା ଓଡ଼ିଶାରେ ଦହିବରା ଆଳୁଦମ୍ ର ପ୍ରଚଳନ ଦେଖିବାକୁ ମିଳିଛି, କିନ୍ତୁ ଅସଲ ଦହିବରା ଖାଇବାକୁ ସମସ୍ତେ କଟକ ମୁହାଁ ହୁଅନ୍ତି । ଯେତେବେଳେ ଯେଉଁ କାମରେ କଟକ ଆସୁଥିବା ଯେ କୌଣସି ଲୋକଙ୍କ ମନ ଟାଣିଥାଏ କଟକ ଦହିବରା ଟିକିଏ ଖାଇବାକୁ । ଦହିବରା ପସନ୍ଦ ଲୋକଙ୍କ ମୁହଁରେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀଙ୍କ ନାଁ ବି ମନକୁ ବାହାରିଆସେ । ଲୋକଙ୍କ ଗାଡ଼ି ବି ସେହି ବ୍ୟବସାୟୀଙ୍କ ଠେଲା ପାଖରେ ଲାଗିଯାଏ । ବିଶ୍ୱଦରବାରରେ ଦହିବରା ଆଳୁଦମ୍ କଟକର ‘ବ୍ରାଣ୍ଡ୍’ ଭାବେ ପରିଚିତ ହୋଇଛି । କିନ୍ତୁ ଜିଆଇ ମାନ୍ୟତା ଦିଗରେ କଟକ ଦହିବରା ଆଳୁଦମ୍ ବହୁତ ପଛରେ ପଡିଯାଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, କୌଣସି ଉତ୍ପାଦ, ସାମଗ୍ରୀ କିମ୍ବା ଖାଦ୍ୟ ପାଇଁ ସରକାର ବା ପ୍ରଶାସନ ଜିଆଇ ଆବେଦନ କରିପାରିବନାହିଁ । ଏଥିପାଇଁ ଏହି ଉତ୍ପାଦ ସହ ଜଡ଼ିତ କୌଣସି ସଂଘ, ଅନୁଷ୍ଠାନ ଆବେଦନ କରିବାକୁ ହେବ । ସେଥିପାଇଁ ନବଗଠିତ କଟକ ଦହିବରା ଆଳୁଦମ୍ ବ୍ୟବସାୟୀ ସଂଘ ସହ ପ୍ରଶାସନ ଆଲୋଚନା କରିଥିଲା । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଏଡିଏମ୍ ଇପ୍ସିତା ପ୍ରିୟଦର୍ଶିନୀଙ୍କ ଉପସ୍ଥିତି ବାରମ୍ବାର ବୈଠକ ବସି ଜିଆଇ ମାନ୍ୟତା ଦିଗରେ ଆଗକୁ ବଢିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ଚେନ୍ନାଇରୁ ଫର୍ମ ମଗାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଦ୍ୱିତୀୟ ବର୍ଷ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦହିବରା ଆଳୁଦମ ଦିବସ ପାଳନ କରାଯାଉଛି । ବାଲିଯାତ୍ରା ତଳପଡିଆ ସ୍ଥିତ କଟକ ଇନ୍ କଟକରେ ରବିବାର ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯିବ । କାର୍ଯ୍ୟକ୍ରମରେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏହାଦ୍ୱାରା ସହରର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ସେଲ୍ଫିଜୋନ୍ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସୂଚନାଯୋଗ୍ୟ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍ ମଧ୍ୟ ବିଧାନସଭାରେ କଟକ ଦହିବରା ଆଳୁଦମ୍ କୁ ଜିଆଇ ମାନ୍ୟତା ପାଇଁ ଦାବି କରିଥିଲେ । ପ୍ରସିଦ୍ଧ ମାର୍ଷ୍ଟସେଫ୍ ତଥା ଜାତୀୟ ସ୍ତରରେ ଚର୍ଚ୍ଚିତ ବିକାଶ ଖାନ୍ନା ମଧ୍ୟ ଦହିବରା ଆଳୁଦମ୍ କୁ ପ୍ରଶଂସା କରି ଭିଡ଼ିଓ ଜାରି କରିଥିଲେ । ବାଲିଯାତ୍ରାରେ ମଧ୍ୟ ଦହିବରା ଆଳୁଦମ୍ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ କରାଯାଇଥିଲା । ବର୍ଷ ଶେଷକୁ ଜାତୀୟ ସ୍ତରରେ ନିଜ ହାତତିଆରି ଦହିବରା ଆଳୁଦମ୍ ପାଇଁ ପୁରସ୍କୃତ ହୋଇଥିଲେ କଟକର ଲୋକପ୍ରିୟ ଦହିବରା ବ୍ୟବସାୟୀ ବାବୁଲା ।
