ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡାପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ଆଜି ମଧ୍ୟ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ଏହି ପବିତ୍ର ଅବସରରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୧୧ତମ ଦିନରେ ପହଞ୍ଚିଛି। ଗତ ୧୧୦ ଦିନ ଧରି ଅବିରତ ଭାବେ ଚାଲିଆସୁଥିବା ଏହି ଅହିଂସକ ଅଭିଯାନ କେବଳ ଗୋଟିଏ ଦାବି ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ମାନବିକତାର ଆଦର୍ଶକୁ ସୁରକ୍ଷିତ ରଖିବାର ଏକ ନୀରବ ସଂକଳ୍ପ। ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନଙ୍କ ମନକୁ ଆନନ୍ଦରେ ଭରିଦେଉଥିବା ବେଳେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ବ୍ୟବସ୍ଥା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବାର ବେଦନା ଆଜି ମଧ୍ୟ ଏହି ପଦଯାତ୍ରାର ନୀରବ ପ୍ରାର୍ଥନାରେ ପ୍ରତିଧ୍ୱନିତ ହୋଇଛି।

ଆଜିର ପଦଯାତ୍ରାରେ ସାମିଲ ଭକ୍ତମାନେ ମହାପ୍ରଭୁଙ୍କ ଚରଣରେ ନୀରବ ପ୍ରାର୍ଥନା କରି କହିଛନ୍ତି— “ହେ କାଳିଆ ସାଆନ୍ତ, ତୁମେ ସମସ୍ତଙ୍କ ଜଗନ୍ନାଥ। ତୁମ ଶ୍ରୀମନ୍ଦିରରେ କୌଣସି ଭକ୍ତ ଅବହେଳିତ କିମ୍ବା ବଞ୍ଚିତ ନହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହେଉ ଏବଂ ସମସ୍ତଙ୍କ ପାଇଁ ସମାନ ଦର୍ଶନ ସୁଯୋଗ ସୁନିଶ୍ଚିତ ହେଉ।” ପଦଯାତ୍ରାରେ ସାମିଲ ଥିବା ସମସ୍ତ ଭକ୍ତ ଦୋହରାଇଛନ୍ତି ଯେ, ଏହି ଅଭିଯାନ କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ପ୍ରଶାସନ ବିରୋଧରେ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ମୂଳ ବାର୍ତ୍ତା “ସମସ୍ତେ ସମାନ, ସମସ୍ତଙ୍କ ପାଇଁ ଜଗନ୍ନାଥ” କଥାକୁ ସୁରକ୍ଷିତ ରଖିବା ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ।ସୋମବାର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ଶିବସୁନ୍ଦର ମିଶ୍ର, ନୃସିଂହନାଥ ନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ସ୍ୱାଇଁ, ଯାଦବାନନ୍ଦ ରାୟ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ମାନସ ପଟ୍ଟନାୟକ, ସୁବାଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ପଦଯାତ୍ରା ଅବ୍ୟାହତ ରହିବ। ଏହା ପ୍ରତିବାଦର ଭାଷା ନୁହେଁ, ବରଂ ଜଣେ ଭକ୍ତର ଅନ୍ତରରୁ ଉଠୁଥିବା ନୀରବ ପ୍ରାର୍ଥନା ଓ ଅହିଂସକ ସତ୍ୟାଗ୍ରହର ପ୍ରତୀକ। ୧୧୧ ଦିନରେ ପଦାର୍ପଣ କରିଥିବା ଏହି ନୀରବ ପଦଯାତ୍ରା ପୁଣି ଥରେ ଆହ୍ୱାନ ଦେଇଛି— “ମହାପ୍ରଭୁ ସମସ୍ତଙ୍କର, ତେଣୁ ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ କରାଯାଉ।
