ନୂଆଦିଲ୍ଲୀ/ପାରାଦୀପ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଏକ ସ୍ୱତନ୍ତ୍ର ଜେଟି ନିର୍ମାଣକୁ ଅନୁମୋଦନ ମିଳିଛି। ପ୍ରାୟ ୭୯୭.୧୭ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ପାରାଦୀପ ବନ୍ଦର ପ୍ରାଧିକରଣ ‘ବିଲ୍ଡ-ଅପରେଟ୍-ଟ୍ରାନ୍ସଫର’ (ବିଓଟି) ମଡେଲରେ କାର୍ଯ୍ୟକାରୀ କରିବ। ଏହି ନୂତନ ସୁବିଧାର ବାର୍ଷିକ ୪.୦ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ରହିବ। ଏଥିରେ ଏକ ସ୍ୱତନ୍ତ୍ର ଜେଟି, ଷ୍ଟୋରେଜ୍ ସିଷ୍ଟମ୍, ପାଇପଲାଇନ ଏବଂ ଆଧୁନିକ ପରିଚାଳନା ଉପକରଣ ଅନ୍ତର୍ଭୁକ୍ତ କ୍ଷ ଏହି ପ୍ରକଳ୍ପ ଆଗାମୀ ୨୪ ମାସ ମଧ୍ୟରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।ପାରାଦୀପ ବନ୍ଦର ପ୍ରାଧିକରଣ ନିର୍ମାଣ କାର୍ଯ୍ୟ ପାଇଁ ମୋଟ ବ୍ୟୟର ୨୦% ଅର୍ଥାତ୍ ୧୫୯.୪୩ କୋଟି ବ୍ୟୟ କରିବେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଜି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ଜେଟି ଓଡ଼ିଶାର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ବିଶ୍ୱ ବଜାର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।”ତେବେ ଏହି ପ୍ରକଳ୍ପ ଭାରତର ‘ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ’ର ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବା ସହିତ ଏହା ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପୂର୍ବ ଭାରତରେ ଏକ ଶକ୍ତିଶାଳୀ ଗ୍ରୀନ୍ ଏନର୍ଜି ଇକୋସିଷ୍ଟମ୍ ଗଠନ କରିବ। ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟତୀତ ଏହି ଜେଟି ଅନ୍ୟାନ୍ୟ ତରଳ କାର୍ଗୋ ପାଇଁ ମଧ୍ୟ ବ୍ୟବହୃତ ହେବ, ଯାହା ବନ୍ଦରର କାର୍ଯ୍ୟଦକ୍ଷତାକୁ ବଢ଼ାଇବ।ଏହି ଜେଟିରେ ୧୪.୩ ମିଟର ଗଭୀରତା ବିଶିଷ୍ଟ ବର୍ଥ ରହିବ, ଯାହା ଫଳରେ ବଡ଼ ତରଳ କାର୍ଗୋ ଜାହାଜଗୁଡ଼ିକ ସହଜରେ ଯାତାୟାତ କରିପାରିବ ।
