ବାରିପଦା /କରଞ୍ଜିଆ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲୋକମାନେ ଉତ୍ସବରେ ମଗ୍ନ ଥିବା ବେଳେ କରଞ୍ଜିଆ ଅଞ୍ଚଳରେ ଚୋରମାନେ ସକ୍ରିୟ ହୋଇଉଠିଛନ୍ତି। ରାତିରେ କରଞ୍ଜିଆ ଥାନା ଅଧୀନ ବଳା ଗାଁ ଏବଂ କରଞ୍ଜିଆ ସହରର ୱାର୍ଡ ନମ୍ବର-୧୫ ଅନ୍ତର୍ଗତ ଅଙ୍କୁରା ଅଞ୍ଚଳରେ ଦୁଇଟି ପୃଥକ ଚୋରି ଘଟଣା ଘଟିଥିବା ର ଜଣାପଡ଼ିଛି। ଏହି ଦୁଇଟି ଘଟଣାରେ ନଗଦ ଟଙ୍କା ସହିତ ବହୁ ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ର ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ଥାନା ଅଧୀନ ବଳା ଗାଁର କ୍ଷେତ୍ରମୋହନ ମହାନ୍ତ, ପରିବାର ସହ କୁରୁଳିଆ ଗାଁକୁ ରଥଯାତ୍ରା ଦେଖିବା ପାଇଁ ଯାଇଥିଲେ। ଘରେ କେହି ନଥିବା ର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିବା ର ଅଭିଯୋଗ ହୋଇଛି। ଚୋରମାନେ ଘରୁ ପ୍ରାୟ ନଗଦ ୧୫ ହଜାର ଟଙ୍କା ସହିତ ୧୪ ଗ୍ରାମ ଓଜନର ଏକ ସୁନା ଚେନ୍ ଚୋରି କରି ନେଇଥିବା ର ଜଣାପଡ଼ିଛି। ପରିବାର ଲୋକେ ଘରକୁ ଫେରିବା ପରେ ଘରର ଅବସ୍ଥା ଦେଖି ଚୋରି ହୋଇଥିବା ସନ୍ଦେହ କରିଥିଲେ ଏବଂ ପରେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି କରଞ୍ଜିଆ ସହରର ୱାର୍ଡ ନମ୍ବର-୧୫ ଅନ୍ତର୍ଗତ ଅଙ୍କୁରା ଅଞ୍ଚଳରେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ସୁଶାନ୍ତ କୁମାର ନାଏକଙ୍କ ଘରେ ଗତ ରାତି ପ୍ରାୟ ୧୨ଟାରୁ ୨ଟା ମଧ୍ୟରେ ଚୋରମାନେ ପଶି ଆଲମିରା ଭାଙ୍ଗି ଦେଇଥିଲେ। ଏହା ପରେ ଘରେ ରହିଥିବା ସୁନା ଗହଣା ସହିତ ପ୍ରାୟ ନଗଦ ୮ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସକାଳେ ପରିବାର ଲୋକେ ଆଲମିରା ଭଙ୍ଗା ଦେଖିବା ପରେ ଚୋରି ହୋଇଥିବା ଜାଣି କରଞ୍ଜିଆ ଥାନାକୁ ଖବର ଦେଇଥିଲେ। ଦୁଇଟି ଘଟଣାକୁ ଗୁରୁତ୍ୱର ସହ ନେଇ କରଞ୍ଜିଆ ପୋଲିସ ପୃଥକ ଭାବେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୨୭୮/୨୬ ଏବଂ ୨୮୦/୨୬ ମୂଳେ ମାମଲା ରୁଜୁ ହୋଇଛି। ବୈଜ୍ଞାନିକ ତଦନ୍ତକାରୀ ଦଳ (ଝମସରଦ୍ଭଗ୍ଧସଲସମ ଞରବଜ୍ଞ) ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଦୁଇଟି ଚୋରି ଘଟଣାର ତଦନ୍ତ ଜାରି ରହିଛି ଏବଂ ଚୋରମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ରଥଯାତ୍ରା ଭଳି ବଡ଼ ପର୍ବ ଅବସରରେ ଏପରି ଚୋରି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବାକୁ ସାଧାରଣ ଲୋକ ଦାବି କରିଛନ୍ତି।
