ନୂଆଦିଲ୍ଲୀ : ଚଳିତ ଟି-ଟ୍ୱେଣ୍ଟ ଖାତା ଖୋଲିଛି । ଆଜି ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଗ୍ରୁପ୍୧ର ଏକ ମ୍ୟାଚରେ ଦଳ ୧୦୭ ରନ୍ରେ ଜିମ୍ବାୱେକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ ୬ ୱିକେଟ୍ ବିନିମୟରେ ୨୫୪ ରନ ସଂଗ୍ରହ କରିଥିଲା । ଜବାବରେ ଜିମ୍ବାୱେ ୧୭.୪ ଓଭରରେ ୧୪୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ପାଇଁ ସିମରନ୍ ହେତମାୟର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଜିମ୍ବାୱେ ପାଇଁ ମହଙ୍ଗା ପଡ଼ିଥିଲା । ଅବଶ୍ୟ ୱେଷ୍ଟ ଇଣ୍ଡିଜର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ ଓ ସାଇ ହୋପଙ୍କୁ ସହଳ ଆଉଟ୍ କରିବାରେ ଜିମ୍ବାୱେ ବୋଲର ସଫଳ ହୋଇଥିଲେ । କିଙ୍ଗ ୯ ଓ ହୋପ ୧୪ ରନ କରିଥିଲେ । ପ୍ରଥମ ୱିକେଟ୍ର ପତନ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ସିମରନ ହେତମାୟର ଧୂଆଁଧାର ବ୍ୟାଟିଂ କରି କ୍ଷଣକ ମଧ୍ୟରେ ଜିମ୍ବାୱେ ନିୟନ୍ତ୍ରଣରୁ ମ୍ୟାଚ ଛଡ଼ାଇ ନେଇଥିଲେ । ତାଙ୍କ ସହ ତାଳ ଦେଇ ରୋଭମାନ ପାୱେଲ୍ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଜିମ୍ବାୱେ ଆଉ ମ୍ୟାଚକୁ ଫେରି ପାରି ନଥିଲା । ଉଭୟ ତୃତୀୟ ୱିକେଟ୍ରେ ୧୨୪ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୭୬ରେ ପହଞ୍ଚିଥିଲା । ହେତମାୟର ମାତ୍ର ୧୯ଟି ବଲ୍?ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷରେ ୧୫ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ଗ୍ରାଏମ କ୍ରିମର । ହେତମାୟର ୩୪ଟି ବଲ୍?ରେ ୭ଚୌକା ଓ ୭ ଛକା ବଳରେ ୮୫ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ରୋଭମାନ ପାୱେଲ ୩୫ଟି ବଲ୍ରୁ ୪ଚୌକା ଓ ୪ଛକା ବଳରେ ୫୯ ରନ କରି ବିଦାୟ ନେଇଥିଲେ । ୱେଷ୍ଟ ଇଣ୍ଡିଜ ଏହାପରେ ଆଉ ୨ଟି ୱିକେଟ୍ ହରାଇଥିଲେ ହେଁ ସେରଫାନ ରଦରଫୋର୍ଡ ଅପରାଜିତ ୩୧ (୩ଚୌକା, ୨ଛକା) ରନ କରି ଦଳୀୟ ସ୍କୋରକୁ ୨୫୪ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋମାରିଓ ସେଫର୍ଡ ୨୧ (୩ଛକା) ଓ ଜାସନ ହୋଲ୍ଡର ୧୩ ରନ କରିଥିଲେ । ଜିମ୍ବାୱେ ଅତିରିକ୍ତ ଭାବେ ୨୧ ରନ ପ୍ରଦାନ କରିଥିଲା । ଜିମ୍ବାୱେ ପକ୍ଷରୁ ରିଚାର୍ଡ ନଗରଭା ଓ ବ୍ଲେସିଂ ମୁଜରବାନି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବା ପୂର୍ବରୁ ଜିମ୍ବାୱେ ମନୋବଳ ହରାଇ ସାରିଥିଲା । ତଡ଼ିୱାନାସେ ମାରୁମାନି ୧୪ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ବ୍ରାଏନ ବେନେଟ ୫ ରନ କରି ବିଦାୟ ନେଇଥିଲେ । ର୍ୟାନ ବ୍ରଲ ଖାତା ଖୋଲି ପାରିନଥିଲେ । ଡିୟନ ମାୟର୍ସ ଓ ସିକନ୍ଦର ରାଜା ୩୨ ରନ୍ ଭାଗିଦାରୀ ଗଠନ କରିଥିଲେ । ଏହାଥିଲା ଦଳର ସବୁଠୁ ବଡ଼ ଭାଗିଦାରୀ । ଦଳୀୟ ସ୍କୋର ୫୨ ବେଳେ ମାୟର୍ସ ୨୭ ରନ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟରମାନେ କେବଳ ଗ୍ରାଉଣ୍ଡରେ ଉପସ୍ଥାନ ପକାଇ ଡ୍ରେସିଂ ରୁମ୍କୁ ଲାଇନ ଲଗାଇଥିଲେ । ରାଜା ୨୭ ଓ ଟୋନି ମୁୟୋଙ୍ଗା ୧୪ ରନ କରିଥିଲେ । ୧୪.୩ ଓଭର ସୁଦ୍ଧା ଜିମ୍ବାୱେ ୧୦୩ ରନ୍ରେ ୯ଟି ୱିକେଟ୍ ହରାଇ ସାରିଥିଲା । ଅନ୍ତିମ ଭାଗରେ ବ୍ରାଡ ଇଭାନ୍ସ ୨ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ । ମାତ୍ର ଶେଷରେ ସେ ୪୩ ରନ କରି ଆଉଟ୍ ହେବା ସହ ଜିମ୍ବାୱେ ଇନିଂସ ୧୪୭ ରନ୍ରେ ଅଟକି ଯାଇଥିଲା । ୱେଷ୍ଟ ଇଣ୍ଡିଜ ପକ୍ଷରୁ ଗୁଦାକେଶ ମୋତି ୪ଟି, ଅକିଲ ହୋସେନ ୩ଟି ଓ ମାଥ୍ୟୁ ଫୋର୍ଡ ୨ଟି ୱିକେଟ୍ ନେଇଥିଲେ ।
