ପୁରୀ: ଦତ୍ତତୋଟା ମହାବୀର ମନ୍ଦିର ନିକଟସ୍ଥ ଡିଏମ୍ ପବ୍ଲିକ ସ୍କୁଲର ଚତୁର୍ଥ ତମ ବାର୍ଷିକ ଉତ୍ସବ ଝାଡେଶ୍ୱରୀ କ୍ଲବ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବରେନ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ମୁଖ୍ଯବକ୍ତା ଭାବେ ସମାଜସେବୀ ତଥା ଭାଷ୍ଯକାର ଓ ଗୀତିକାର ବଦ୍ରି ମିଶ୍ର ଯୋଗଦେଇ କହିଲେ ଶିଶୁ ଭଗବାନଙ୍କର ଏକ ସୁନ୍ଦର ସୃଷ୍ଟି । ଆଜିର ଶିଶୁ କାଲିର ଭବିଷ୍ୟତ।ପିଲାମାନେ ଭଲ ପାଠ ପଢି ବିଦ୍ୟାଳୟର ନାମ ରଖିବା ସହ ଦେଶର ନାମ ରଖିବେ । ଭଲ ଚରିତ୍ରବାନ ମଣିଷ ହୋଇ ବ୍ଯକ୍ତିତ୍ୱ ଅର୍ଜନ କରି ପିତାମାତାଙ୍କ ନାମ ଉଚ୍ଚରେ ରଖନ୍ତୁ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିକ୍ଷାବିତ ପ୍ରମୋଦ କୁମାର କର ଓ ପୂର୍ବତନ ପୌରସଦସ୍ଯ ପ୍ରିତମ ଜଗଦେବ ଯୋଗଦେଇ କହିଲେ ବିଦ୍ୟାଳୟ ପରିବେଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ମନ୍ଦିର ସଦୃଶ୍ଯ । ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଶୃଙ୍ଖଳିତ ଏବଂ ସୁସଂଗଠିତ ହୋଇପାରିବେ । ଶିକ୍ଷା ସମାଜର ସମ୍ପଦ,ଚରିତ୍ର ଗଠନର ମୁଖ୍ଯ ଉପାଦାନ ଏବଂ ଜୀବନର ପ୍ରକୃତ ମୂଲ୍ଯବୋଧକୁ ଦର୍ଶାଇଥାଏ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଏଥିସହ ସ୍ଲୁଲର ଉତ୍ତରୋତ୍ତର କାମନା କରିଥିଲେ । ସ୍ଲୁଲର ସଭାପତି ସତ୍ଯନାରାୟଣ ଦାଶ ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ଜଗତ ଜୀବନ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଲୁଲର ଅଧ୍ୟକ୍ଷା ସଂଘମିତ୍ରା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ସ୍ୱାଗତିକା ଦିକ୍ଷୀତ ଓ ପରେଶ କୁମାର ଶତପଥି ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସ୍ଲୁଲର ଉପଦେଷ୍ଟା ପ୍ରଦୀପ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୋମଳମତି ଛାତ୍ର ଛାତ୍ରୀମାନେ ସମ୍ବଲପୁରୀ, ଓଡିଶୀନୃତ୍ଯ ଓ ଭଜନନୃତ୍ଯ ସମେତ ଆଧୁନିକ ନୃତ୍ଯ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଜ୍ଞାଶ୍ରୀ ମହାନ୍ତି , ଅରୁନ୍ଧତୀ ସେନଗୁପ୍ତ ପରିଚାଳନା କରିଥିଲେ । ଶତାଧିକ ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ସାହିର ଦର୍ଶକମାନେ ପିଲାମାନଙ୍କ ଚିତାକର୍ଷକ ନୃତ୍ଯ ଗୀତ ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରସ୍ନାଞ୍ଜଳୀ ପରିଡ଼ା , ସୁଜାତା ପ୍ରଧାନ , ରଶ୍ମିତା ପଣ୍ଡା , ନଳିନୀ ପ୍ରଧାନ, ଇତିଶ୍ରୀ ଜଗଦେବ ସହଯୋଗ କରିଥିଲେ ।
