ପୁରୀ: ଆଜି ଆଷାଢ଼ ଶୁକ୍ଳ ଦ୍ୱିତୀୟା। ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ପ୍ରସିଦ୍ଧ ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚାମନ୍ଦିର ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସାଙ୍ଗରେ ରହିଛନ୍ତି ବଡ଼ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶ। ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଜି ପୁରୀରେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଭିଡ଼ ହୋଇଛି। ବର୍ଷାକୁ ଖାତିର ନ କରି ଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁଙ୍କ ସମାଗମ ପୁରୀରେ ହୋଇଛି। ରଥ ଟାଣିବାକୁ ଭକ୍ତମାନେ ବ୍ୟଗ୍ରତା ମଧ୍ୟରେ ରହିଛନ୍ତି। ଭକ୍ତଙ୍କ ଉପସ୍ଥିତିରେ ବଡ଼ଦାଣ୍ଡ ପୂରି ଉଠିଛି। ନୀତିକାନ୍ତି ଅନୁସାରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ଘଣ୍ଟ ନାଦ ମଧ୍ୟରେ ରଥରେ ବିଜେ ହୋଇଛନ୍ତି। ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥାରୂଢ କରାଇଥିଲେ। ଚଳନ୍ତି ଠାକୁର ତଥା ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା ହେବା ପାଇଁନୀତି ନିର୍ଘଣ୍ଟ ହୋଇଛି। ରଥ ଟାଣିବା ପାଇଁ ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲେକାରଣ୍ୟ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ତେବେ ଲଗାତର ୩ ଦିନ ହେଲାଣି ବର୍ଷା ଭକ୍ତଙ୍କୁ କଲବଲ କରିଛି। କିଛି ଲୋକ ବର୍ଷାରେ ଭିଜି ଭିଜି ବଡ଼ଦାଣ୍ଡରେ ଚାଲୁଥିବା ବେଳେ ଆଉ କିଛି ଲୋକେ ଛତା, ରେନିକୋଟ୍, ପଲିଥିନ୍ରେ ନିଜକୁ ଢାଙ୍କିଛନ୍ତି। ପିଲାଛୁଆ ଦରି ରଥ ଟାଣିବାକୁ ଆସିଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ପୁରୀରେ ୪୫ ଘଣ୍ଟା ମଧ୍ୟରେ ୨୦୦ ମିମି ବର୍ଷା ରେକର୍ଡ ହୋଇଛି। ଗୁରୁବାର ସକାଳ ୫:୩୦ ପର୍ଯ୍ୟନ୍ତ ପୁରୀରେ ଗତ ୪୫ ଘଣ୍ଟା ମଧ୍ୟରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ରଥ ସମୟରେ ବର୍ଷା ଜାରି ରହିବ, ଆଗାମୀ ଛଅ ଘଣ୍ଟା ପର୍ଯ୍ୟନ୍ତ ମେଘୁଆ ଆକାଶ, ମଧ୍ୟମ ଧରଣର ବର୍ଷା, ଘଡ଼ଘଡ଼ି ଏବଂ ବିଜୁଳି ହେବାର ସମ୍ଭାବନା ରହିଛି। ବୁଲେଟିନରେ ଆହୁରି ସୂଚିତ କରାଯାଇଛି ଯେ ବର୍ଷା ସତ୍ତ୍ୱେ ତାପମାତ୍ରା ୨୫-୨୭ଡିଗ୍ରି ମଧ୍ୟରେ ରହିବ, ଆର୍ଦ୍ରତା ୯୮-୧୦୦% ମଧ୍ୟରେ ରହିବ, ଯାହା ଏକ ଗରମ ପରିବେଶ ସୃଷ୍ଟି କରିବ। ବର୍ଷା ଯୋଗୁଁ ତଳିଆ ଅଂଚଳରେ ବର୍ଷା ପାଣି ଜମି ରହିଛି।
