ନୀଳଗିରି; ଦିନକୁ ଦିନ ବଢୁଛି ନୀଳଗିରି ଅଞ୍ଚଳରେ ଚୋରୀ, ଛିନ୍ତାଇ। କେତେ ବେଳେ ଘରୁ ବସି ଲୁଟ୍ କରୁଛନ୍ତି ତ କେତେବେଳେ ରାସ୍ତା ଉପରୁ ଲୁଟେରା ମାନେ ଲୋକଙ୍କ ଠାରୁ ଲୁଟ୍ କରି ଆଖି ପିଛୁଳାକେ ଫେରାର ହୋଇଯିବାର ସକ୍ଷମ ହେଉଛନ୍ତି। ଲୁଟେରା ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟ୍ କରି ଚାଲିଥିବା ବେଳେ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ପଡିଥିବାର କୁହାଯାଉଛି । ଆଗକୁ ରଥଯାତ୍ରା ଆସୁଥିବାରୁ ପୋଲିସ ବିଭାଗ ରଥଯାତ୍ରା ପାଇଁ ବ୍ୟସ୍ତ ରହୁଥିବାରୁ ଲୁଟେରା ମାନଙ୍କର ନୀଳଗିରି ଅଞ୍ଚଳ ଲୁଟ୍ କରିବାର ସୁଯୋଗ ଆଣିଦେଇଥିବାର କୁହାଯାଉଛି । ପୁଣି ପରିଚୟ ପଚାରିବା ବାହାନାକରି ୨ଜଣ ଛଦ୍ମବେଶୀ ଲୁଟେରା ଜୈନିକ ବୃଦ୍ଧାଙ୍କ ବେକରୁ ଆନୁମାନିକ ୪ଲକ୍ଷ ଟଙ୍କାର ସୁନାହାର ଲୁଟିନେଇଛନ୍ତି। ସୋମବାର ଭୋର ପ୍ରାୟ ୫ଟା ସମୟରେ ନୀଳଗିରି ସହରରେ ଏଭଳି ଘଟଣା ଘଟିଯାଇଛି।ସୁଚନା ଅନୁଯାୟୀ ନୀଳଗିରି ଏନଏସି ୭ ନମ୍ବର ୱାର୍ଡ ବାଲିଗୋହିରୀ ଗ୍ରାମର ପ୍ରଫୁଲ୍ଲବାଳା ଦେବୀଙ୍କ ବେକରୁ ଭୋର ସମୟରୁ ଦୁଇଜଣ ଯୁବକ ଏକ ବାଇକରେ ଆସି ପରିଚୟ ପଚାରିବାର ବାହାନାକରି ବେକରୁ ସୁନାଚେନ ଲୁଟିନେଇଛନ୍ତି।ଲୁଟେରା ଦୁଇଜଣ ହେଲମେଟ ଓ ମାସ୍କ ପିନ୍ଧିଥିବା ବେଳେ ଏକ ବାଇକ ଯୋଗେ ଆସିଥିଲେ ।ଫଳରେ ସେମାନଙ୍କୁ ଚିହ୍ନିପାରିଲିନି ବୋଲି କହିଛନ୍ତି ପ୍ରଫୁଲ୍ଲବାଳା ।ହାରଟି ୨୫ ଗ୍ରାମରୁ ଉର୍ଦ୍ଦ୍ୱ ଓଜନର ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଦ୍ୱ ହେବ।ଏନେଇ ନୀଳଗିରି ଥାନାରେ ଅଭିଯୋଗପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ବାରମ୍ବାର ନୀଳଗିରି ଅଞ୍ଚଳରେ ଏଭଳି ଛିନତାଇ, ମନ୍ଦିରଲୁଟ, ଡକାଇତି ଭଳି ଘଟଣା ଘଟିଚାଲିଥିବାରୁ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ପୋଲିସ ତରଫରୁ ପେଟ୍ରୋଲିଂକୁ ଜୋରଦାର କରିବାକୁ ଦାବୀ ହୋଇଛି।
