ବାରିପଦା /କରଞ୍ଜିଆ; ମୟୂରଭଞ୍ଜ ଜିଲ୍ଲା,ଶୁକୃଳି ବ୍ଲକରେ ବିଭିନ୍ନ ସରକାରୀ ପଦବୀ ଖାଲି ପଡ଼ିଥିବା ଏବଂ ଅଧିକାରୀ ସଙ୍କଟ ଯୋଗୁଁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ଶୁକ୍ରବାର ଜନସମ୍ପର୍କ ପଦଯାତ୍ରା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋଲକ ବିହାରୀ ନାୟକଙ୍କ ନେତୃତ୍ୱରେ ଡାହାଣୀଗଡ଼ିଆଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଶୁକୃଳି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ବିଜେଡି ନେତା, କର୍ମୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ରାଜ୍ୟର ଡବଲ ଇଞ୍ଜିନ ସରକାର ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ।
ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଶୁକୃଳି ବ୍ଲକରେ ଦୀର୍ଘଦିନ ଧରି ସ୍ଥାୟୀ ଅଧିକାରୀ ନିଯୁକ୍ତି ହୋଇନଥିବାରୁ ପ୍ରଶାସନିକ କାର୍ଯ୍ୟ ଓ ଜନସାଧାରଣଙ୍କ ସେବା ପ୍ରଭାବିତ ହେଉଛି। ବ୍ଲକର ବିଡିଓ ସ୍ୱାସ୍ଥ୍ୟଗତ କାରଣରୁ ପ୍ରାୟ ତିନିମାସ ଛୁଟିରେ ରହିବା ପରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିବାରୁ ପଦବୀଟି ଖାଲି ପଡ଼ିଛି। ବର୍ତ୍ତମାନ ଯଶିପୁର ବିଡିଓଙ୍କୁ ଶୁକୃଳି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଯଶିପୁର ବ୍ଲକ, ଯଶିପୁର ଏନ୍ଏସି ଓ ଶୁକୃଳି ବ୍ଲକର ଦାୟିତ୍ୱରେ ଥିବାରୁ ସପ୍ତାହକୁ ମାତ୍ର ଦିନେ କିମ୍ବା ଦୁଇଦିନ ଶୁକୃଳି ଆସୁଥିବା ଅଭିଯୋଗ ହୋଇଛି। ସେହିପରି ସିଡିପିଓ, ବିଇଓ, ଯୋଗାଣ ଅଧିକାରୀ, ସିପି ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାୟୀ ନିଯୁକ୍ତି ନାହିଁ। ଯଶିପୁର ବିଇଓ ଶୁକୃଳିର ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ରରୁଆଁ ସିଡିପିଓ ମଧ୍ୟ ଶୁକୃଳିର ଦାୟିତ୍ୱ ତୁଲାଉଛନ୍ତି। ଯୋଗାଣ ଅଧିକାରୀଙ୍କ ଉପରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ରହିଛି। ଏଭଳି ପରିସ୍ଥିତିରେ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ବିଳମ୍ବିତ ହେଉଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ବ୍ଲକ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ୫୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ପରମେଶ୍ୱର ନାଏକ, ପୂର୍ବତନ ସମିତି ସଭ୍ୟ ନନ୍ଦକିଶୋର ଖଟୁଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାବଗ୍ରାହୀ ପାତ୍ର, ବୀଣାପାଣି ଘଣା, ହର୍ଷମଣି ମହାନ୍ତଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ପଦଯାତ୍ରା ଓ ପ୍ରତିବାଦ ସଭା ଶେଷ ହୋଇଥିଲା।
