କଟକ: ଭିଜିଲାନ୍ସ ଜାଲରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ନିର୍ବାହୀ ଯନ୍ତ୍ରୀ ତଥା ପୂର୍ବତନ କୋରାପୁଟ ଆଇଟିଡିଏ (ଓଞଊଇ)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟା । ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ରାଜ୍ୟର ୭ଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଥିବା ବେଳେ ବହୁ ମୂଲ୍ୟବାନ ସମ୍ପତ୍ତି ଓ ଦସ୍ତାବିଜ ଠାବ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସଞ୍ଜୟ କୁମାର କିସପେଟ୍ଟାଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଏହି ତଲାସି କୋରାପୁଟର ଭଡ଼ା ଘର, କୁମ୍ଭା-୧ ମୌଜାରେ ଥିବା ୪ ମହଲା ହୋଟେଲ, କୁମ୍ଭା-୨ରେ ନିର୍ମାଣାଧୀନ ବାସଭବନ, ସୁନ୍ଦରଗଡ଼ର ପୈତୃକ ଘର ଓ ନିର୍ମାଣାଧୀନ ୩ ମହଲା କୋଠା ସହ ଭୁବନେଶ୍ୱର ଓ ବଲାଙ୍ଗିରର ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ କରାଯାଇଥିଲା।କୋରାପୁଟରେ ୫ଟି ପ୍ଲଟ୍, ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଏବଂ ରାଉରକେଲାର ଲହୁଣୀପଡ଼ାରେ ୨ଟି ଦାମୀ ପ୍ଲଟ୍ ଠାବ କରାଯାଇଛି। ଏହାଛଡ଼ା କୋରାପୁଟରେ ଥିବା ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ତଲାସି ବେଳେ ଦୁଇଟି ଦାମୀ କାର, ଗୋଟିଏ ବୁଲେଟ , ଗୋଟିଏ ସ୍କୁଟି, ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ଜୀବନ ବୀମା ସମ୍ବନ୍ଧୀୟ କାଗଜପତ୍ର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଠାବ ହୋଇଛି । ତଲାସି ଏବେ ବି ଜାରି ରହିଛି। ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଓ ଯାଞ୍ଚ ଶେଷ ହେବା ପରେ ଜବତ ସାମଗ୍ରୀ ଓ ଆୟବହିର୍ଭୂତ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସହ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ। ସୂଚନା ଅନୁଯାୟୀ, ସଞ୍ଜୟ କୁମାର କିସ୍ପଟ୍ଟା ୨୦୧୧ ମସିହାରେ ଜଳ ସମ୍ପଦ ବିଭାଗ ଅଧୀନରେ ସହକାରୀ ଯନ୍ତ୍ରୀ ଭାବରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଏବଂ ୯୩୦୦ ଟଙ୍କା ଦରମାରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ, ତାଙ୍କୁ ନିୟମିତ କରାଯାଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ନାରାୟଣପାଟଣା ବ୍ଲକରେ ସମାନ ପଦବୀରେ କାର୍ଯ୍ୟ ଜାରି ରଖିଥିଲେ। ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ, ତାଙ୍କୁ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ବଦଳି କରାଯାଇଥିଲା। ୨୦୨୧ ରୁ ଫେବ୍ରୁଆରି ୨୦୨୫ ପର୍ଯ୍ୟନ୍ତ, ତାଙ୍କୁ କୋରାପୁଟର ଓଞଊଇ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଥିଲା। ୬ ମାର୍ଚ୍ଚ ୨୦୨୬ରେ, ତାଙ୍କୁ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯାଇ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ (ଙଉଉ) ଲିମିଟେଡରେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ତାଙ୍କୁ ବଲାଙ୍ଗୀରର ଓଡ଼ିଶା ନିର୍ମାଣ ନିଗମ ଲିମିଟେଡରେ ଡେପୁଟେସନ କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଏହି ପଦବୀରେ ଅଛନ୍ତି।
