ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଶନିବାର ଦିନ ୪୦ ଜଣ ପ୍ରାର୍ଥୀଙ୍କ ନାମ ଥିବା ଏହାର ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ତାଙ୍କର ବର୍ତ୍ତମାନର ନିର୍ବାଚନ ମଣ୍ଡଳୀ “ଧୁରୀ’ରୁ ପ୍ରାର୍ଥୀ କରାଯାଇଥିବା ବେଳେ, ଜେଲରେ ଥିବା ଦଳୀୟ ନେତା ସଞ୍ଜୀବ ଅରୋରାଙ୍କୁ ଲୁଧିଆନା ପଶ୍ଚିମ ଆସନରୁ ମନୋନୀତ କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ଦଳ କେବଳ ବର୍ତ୍ତମାନର ବିଧାୟକମାନଙ୍କୁ ହିଁ ପ୍ରାର୍ଥୀ ଭାବେ ଚୟନ କରିଛି। ୨୦୨୭ ମସିହା ଫେବୃଆରୀ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମନୋନୀତ ହୋଇଥିବା ୪୦ ଜଣ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ଆପ୍ ପଞ୍ଜାବର ପ୍ରଥମ ରାଜନୈତିକ ଦଳ ହୋଇପାରିଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ମାମଲାରେ ସମ୍ପୃକ୍ତ ଥିବା ଅରୋରା ବର୍ତ୍ତମାନ ଗୁରୁଗ୍ରାମର ଭୋଣ୍ଡସି ଜେଲରେ ଅଛନ୍ତି। ପ୍ରଥମ ତାଲିକାରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କୋଟକପୁରାରୁ କୁଲତାର ସିଂହ ସାନ୍ଧୱାନ, ଅଜନାଲାରୁ କୁଲଦୀପ ସିଂହ ଧାଲିୱାଲ, ତଲୱାଣ୍ଡି ସାବୋରୁ ବଲଜିନ୍ଦର କୌର, ବଟାଲାରୁ ଅମନଶେର ସିଂହ “ଶେରୀ’ କଲସି ଏବଂ ଭାଦୌରରୁ ଲାଭ ସିଂହ ଉଗୋକେ ଅନ୍ତର୍ଭୁକ୍ତ ଅଛନ୍ତି। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ଦଳର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ, ଭଗୱନ୍ତ ମାନ ଏବଂ ପଞ୍ଜାବ ପାଇଁ ଦଳର ଦାୟିତ୍ୱରେ ଥିବା ମନୀଷ ସିସୋଦିଆ ଉପସ୍ଥିତ ଥିଲେ। ରାଜ୍ୟ ଶାଖା ମୁଖ୍ୟ ଅମନ ଅରୋରା ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଅନେକ ନାମ ଉପରେ ଆଲୋଚନା ହୋଇଥିଲା ଏବଂ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ତାଲିକାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଦଳର “ରାଜନୈତିକ ବ୍ୟାପାର କମିଟି’ ନିକଟକୁ ପଠାଯାଇଥିଲା। ମାନ କହିଥିଲେ ଯେ ପ୍ରାର୍ଥୀ ଚୟନ କରିବା ସମୟରେ ଦଳ ଜନସାଧାରଣଙ୍କ ମତାମତ ଏବଂ ବର୍ତ୍ତମାନର ବିଧାୟକମାନଙ୍କ କାର୍ଯ୍ୟଦକ୍ଷତାକୁ ବିଚାରକୁ ନେବ। ସେ ଆହୁରି ମଧ୍ୟ ସୂଚିତ କରିଥିଲେ ଯେ, ଆମ୍ ଆଦମୀ ପାର୍ଟି ଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଜାବ ସରକାର କରିଥିବା କାର୍ଯ୍ୟକୁ ଆଧାର କରି ଭୋଟ୍ ମାଗିବ; ଯେଉଁଥିରେ ବିଦ୍ୟୁତ୍, ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଏବଂ ରାସ୍ତାଘା ତାଙ୍କୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ଓ ବିଜେପି ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳୁଛନ୍ତି ବୋଲି ଅଭିଯୋଗ କରି ମାନ୍ କହିଛନ୍ତି ଯେ, ସାଧାରଣ ଲୋକଙ୍କ ବଢୁଥିବା ସଶକ୍ତିକରଣକୁ ନେଇ ଉଭୟ ଦଳ ଅସ୍ୱସ୍ତି ଅନୁଭବ କରୁଛନ୍ତି। ମାନ୍ କହିଲେ, ସେମାନଙ୍କର ପ୍ରକୃତ ସମସ୍ୟା ହେଉଛି ସାଧାରଣ ମଣିଷର ଉତ୍ଥାନ; କାରଣ ସେମାନେ ଏହି କଥାକୁ ହଜମ କରିପାରୁନାହାନ୍ତି ଯେ, ଏକ ସାଧାରଣ ପରିବାରର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।
