ପୁରୀ: ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ର ସୁପରିଚାଳନା ଓ ସୁରକ୍ଷିତ ପରିଚାଳନାକୁ ଦୃଷ୍ଟିରେ ରଖି ରବିବାର ପୁରୀ ପୋଲିସ ପକ୍ଷରୁ ଦଇତାପତି ନିଯୋଗର ସଦସ୍ୟମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସପି ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କ ସୁବିଧା, ସୁରକ୍ଷା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଭକ୍ତମାନଙ୍କ ପାଇଁ ସୁଗମ ଦର୍ଶନ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ସେବାୟତ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ, ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଏବଂ ରଥଯାତ୍ରାର ବିଭିନ୍ନ ନୀତିକାନ୍ତିର ସୁଚାରୁ ସମ୍ପାଦନ ସମ୍ପର୍କରେ ମତବିନିମୟ କରାଯାଇଥିଲା। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଦଇତାପତି ନିଯୋଗର ସହଯୋଗ ଓ ପରାମର୍ଶକୁ ରଥଯାତ୍ରା ପରିଚାଳନାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ। ତେଣୁ ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ପ୍ରଶାସନ, ସେବାୟତ ଓ ବିଭିନ୍ନ ନିଯୋଗମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ଅତ୍ୟାବଶ୍ୟକ।

ବୈଠକରେ ଉପସ୍ଥିତ ଦଇତାପତି ନିଯୋଗର ସଦସ୍ୟମାନେ ମଧ୍ୟ ରଥଯାତ୍ରାର ସୁପରିଚାଳନା ନିମନ୍ତେ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମଧ୍ୟ ପୋଲିସ ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ନିୟମିତ ସମନ୍ୱୟ ବୈଠକ ଜାରି ରହିବ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ସମୟ ପୂର୍ବରୁ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ କମାଣ୍ଡାଣ୍ଟ ତପସ ଦାସ, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ଦେବୀ ପ୍ରତାପ, ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ଡିସି ଏସ୍?ଏସ୍?ଏମ୍?ଏସ୍?ଭି କୌଶିକ ନାୟକ, ଦୀପକ ଗଡନାୟକ ଏବଂ ପୁରୀ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୁରୀ ପୋଲିସ ପକ୍ଷରୁ ରଥଯାତ୍ରା-୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ଭକ୍ତମାନଙ୍କ ପାଇଁ ସ୍ମରଣୀୟ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଭାବେ ଚାଲୁଅଛି।
