ନୂଆଦିଲ୍ଲୀ: ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ଶନିବାର ଦିନ ନୂତନ ଚିଫ୍ ଅଫ୍ ଏୟାର ଷ୍ଟାଫ୍ (ବାୟୁସେନା ମୁଖ୍ୟ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଚିଫ୍ ମାର୍ଶାଲ ଦୀକ୍ଷିତ ୨୦ରୁ ଅଧିକ ପ୍ରକାରର ବିମାନ ଚଳାଇବାରେ ୩,୫୦୦ ଘଣ୍ଟାରୁ ଅଧିକ ଅଭିଜ୍ଞତା ଥିବା ଜଣେ ଦକ୍ଷ ଫାଇଟର ପାଇଲଟ୍ (ଯୁଦ୍ଧ ବିମାନ ଚାଳକ), ସେ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହଙ୍କ ସ୍ଥାନ ନେଇଛନ୍ତି, ଯିଏ ୪୩ ବର୍ଷର ଏକ ସୁଦୀର୍ଘ ଓ ଗୌରବମୟ କାର୍ଯ୍ୟକାଳ ପରେ ବାୟୁସେନାରୁ ଅବସର ଗ୍ରହଣ କରିଛନ୍ତି। ଦାୟିତ୍ୱ ହସ୍ତାନ୍ତର କରିବା ପୂର୍ବରୁ, ରେସ୍ କୋର୍ସ ଏୟାର ଫୋର୍ସ ଷ୍ଟେସନ୍ରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଚିଫ୍ ମାର୍ଶାଲ ସିଂହଙ୍କୁ ଏକ ଔପଚାରିକ ଗାର୍ଡ ଅଫ୍ ଅନର (ସମ୍ମାନଜନକ ଅଭିବାଦନ) ପ୍ରଦାନ କରାଯାଇଥିଲା। ନିଜର ରଣନୀତିକ ଯୋଜନା ପାଇଁ ଜଣାଶୁଣା ଏବଂ ଅପରେସନ୍ ସିନ୍ଦୂର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏୟାର ଚିଫ୍ ମାର୍ଶାଲ ଦୀକ୍ଷିତ, ଏହା ପୂର୍ବରୁ ବାୟୁସେନାର ଭାଇସ୍ ଚିଫ୍ (ଉପ-ମୁଖ୍ୟ) ଭାବରେ କାର୍ଯ୍ୟ କରୁଥିଲେ। ଚାରି ଦଶନ୍ଧି ଧରି ଚାଲିଥିବା ନିଜର ଉଲ୍ଲେଖନୀୟ କାର୍ଯ୍ୟକାଳ ମଧ୍ୟରେ, ଏୟାର ଚିଫ୍ ମାର୍ଶାଲ ଦୀକ୍ଷିତ ବିଭିନ୍ନ କମାଣ୍ଡ, ଷ୍ଟାଫ୍ ଏବଂ ପ୍ରଶିକ୍ଷଣ ସମ୍ବନ୍ଧୀୟ ପଦବୀରେ କାର୍ଯ୍ୟ କରିଛନ୍ତି। ୧୯୬୬ ମସିହା ଡିସେମ୍ବର ୯ ତାରିଖରେ ଜନ୍ମିତ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ, ୧୯୮୬ ମସିହା ଡିସେମ୍ବର ୬ ତାରିଖରେ ଭାରତୀୟ ବାୟୁସେନାର ଫାଇଟର (ଯୁଦ୍ଧ ବିମାନ) ବିଭାଗରେ ଯୋଗ ଦେଇଥିଲେ। “ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍’ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, ସେ “ହେଡକ୍ୱାର୍ଟର୍ସ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍’ରେ “ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଟୁ ଦ ଚେୟାରମ୍ୟାନ୍, ଚିଫ୍ସ ଅଫ୍ ଷ୍ଟାଫ୍ କମିଟି’ ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ, ସେ ସେଣ୍ଟ୍ରାଲ ଏୟାର କମାଣ୍ଡର “ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍’ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଏୟାର ମାର୍ଶାଲ ଦୀକ୍ଷିତ ହେଉଛନ୍ତି ନ୍ୟ ଏୟାର ଚିଫ୍ ମାର୍ଶାଲ୍ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରସ୍ତରୀୟ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ପଶ୍ଚିମ କ୍ଷେତ୍ରରେ ଏକ ଅଗ୍ରଣୀ ଯୁଦ୍ଧ ବିମାନ ଘାଟି ଏବଂ ଦକ୍ଷିଣ କ୍ଷେତ୍ରରେ ଏକ ପ୍ରମୁଖ ଯୁଦ୍ଧ ବିମାନ ପ୍ରଶିକ୍ଷଣ କେନ୍ଦ୍ରର ନେତୃତ୍ୱ ନେଇଥିଲେ।
