ଅହମ୍ମଦାବାଦ : ଭାରତ ୧୭ ରନରେ ନେଦଲ୍ୟାଣ୍ଡସକୁ ପରାସ୍ତ କରିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା। ଜବାବରେ ନେଦରଲ୍ୟାଣ୍ଡସ୍ କେବଳ ୧୭୬ ରନ କରିପାରିଥିଲା। ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ତିନୋଟି ୱିକେଟ ଭାରତର ବିଜୟରେ ପ୍ରମୁଖ ଅବଦାନ ରଖିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୪) ଏବଂ ତିଲକ ବର୍ମା (୩୧) ରନ୍ କରିଥିଲେ। ତଥାପି, ସବୁଠାରୁ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ଶିବମ୍ ଦୁବେଙ୍କ ଠାରେ ଦେଖିବାକୁ ମିଳିଥିଲା, ଯିଏକି ୩୧ ବଲ୍ ରେ ୬୬ ରନ୍ କରିଥିଲେ। ଦୁବେ ଏହି ଇନିଂସରେ ୪ ଚୌକା ଏବଂ ୬ ଛକା ମାରିଥିଲେ। ୧୯ତମ ଓଭରରେ କ୍ଲେଇନ ପ୍ରଥମେ ଦୁଇଟି ୱାଇଡ ପକାଇଥିଲେ। ଏହାପରେ ପ୍ରଥମ ଲିଗାଲ ବଲରେ ଦୁବେ ଚୌକା ମାରିଥିଲେ। ପରବର୍ତ୍ତୀ ବଲରେ ୧ ନେଇ ସେ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ପାଣ୍ଡ୍ୟା ଚମତ୍କାର ଛକା ମାରି ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ। ପୁଣି ଗୋଟିଏ ବଲ ଡଟ ହେବା ପରେ ସେ ଆଉ ଗୋଟିଲ ଛକା ମାରିଥିଲେ। ଶେଷ ବଲରେ ୨ ରନ ହେବାରୁ ଦଳୀୟ ସ୍କୋର ୧୮୦ରେ ପହଞ୍ଚିଥିଲା। ଶେଷ ଓଭର ପକାଇବାକୁ ଆସିଥିଲେ ଭାବ ବିକ। ତାଙ୍କୁ ଦୁବେ ଛକା ମାରି ସ୍ୱାଗତ କରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଦୁବେ ଆଉଟ ହୋଇଯାଇଥିଲେ। ସେ ଆଜି ୩୧ ବଲରେ ୬୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଦୁବେଙ୍କ ପରେ ଆସିଥିବା ରିଙ୍କୁ ସିଂହ ପ୍ରଥମ ବଲ ଡଟ ହୋଇଯାଇଥିଲେ। କିନ୍ତୁ ରିଙ୍କୁ ସିଂହ ୪ର୍ଥ ବଲରେ ବିରାଟ ଛକା ମାରିଥିଲେ। ୫ମ ବଲରେ ବାଇରୁ ୧ ରନ ମିଳିଥିଲା।
