ନୂଆଦିଲ୍ଲୀ : ପାକିସ୍ତାନ ଦଳରୁ ବାଦ୍ ପଡ଼ିଲେ ୨ ଖେଳାଳି । ଭାରତ ବିପକ୍ଷ ମ୍ୟାଚରେ ପରାଜୟ ପରେ ୨ ପରିବର୍ତ୍ତନ କରାଯାଇଛି । ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଶାହିନ୍ ଆଫ୍ରିଦ୍ ଏବଂ ଟି-୨୦ରେ ତୃତୀୟ ସ୍ଥାନରେ ଥିବା ବୋଲର ଅବରାର ଅହମ୍ମଦଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଏବେ ସଲମାନ ମିର୍ଜା ଏବଂ ଖ୍ୱାଜା ନଫେଙ୍କୁ ଦଳରେ ସୁଯୋଗ ମିଳିଛି । ପାକିସ୍ତାନ ଏବେ ଦଳର ବ୍ୟାଟିଂ ଲାଇନ୍ ଅପକୁ ଅଧିକ ସୁଦୃଢ଼ କରିଛି । ଶାହିନ୍ ଆଫ୍ରିଦ୍ ଏବଂ ଅବରାର ଅହମ୍ମଦ ଦଳରୁ ବାଦ ପଡ଼ିଥିବାବେଳେ ଦଳର ସିନିୟର ଖେଳାଳି ବାବର ଆଜମଙ୍କ ଉପରେ କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ । ପାକିସ୍ତାନୀ ଫ୍ୟାନ୍ସମାନେ ବାବରଙ୍କୁ ଲଗାତାର ସମାଲୋଚନା କରିଆସୁଥିବାବେଳେ କିନ୍ତୁ ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି । ବାବର ୩ ମ୍ୟାଚରେ ଏଯାବତ ୬୬ ରନ୍ କରିଛନ୍ତି । ଭାରତ ବିପକ୍ଷରେ ସେ ମାତ୍ର ୫ ରନ୍ କରିଥିଲେ । ସେପଟେ ଶାହିନ୍ ଆଫ୍ରିଦ ଭାରତ ବିପକ୍ଷରେ ୨ ଓଭରରେ ୩୧ ରନ୍ ବ୍ୟୟ କରିଥିଲେ । ପ୍ରଥମ ଓଭରରୁ ତାଙ୍କୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ଅନ୍ତିମ ଓଭର ବୋଲିଂ କରୁଥିବାବେଳେ ରିଙ୍କୁ ସିଂ ବଡ଼ ସଟ୍ ଖେଳିଥିଲେ । ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନର ପରାଜୟ ପରେ ନିଜ ଦେଶର ପୂର୍ବତନ ଖେଳାଳିମାନେ ସମାଲୋଚନା ଆରମ୍ଭ କରିଥିଲେ । ସାହଦ ଆଫ୍ରିଦ୍ ନିଜ ଜ୍ୱାଇଁ ଶାହିନଙ୍କୁ ଦଳରୁ ବାଦ ଦେବାକୁ ମଧ୍ୟ ଅପିଲ୍ କରିଥିଲେ । ଏହାସହ ମହମ୍ମଦ ୟୁସୁଫ୍ ବାବର, ଶଦାବ ଏବଂ ସାହିନଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାଦ ଦେବାକୁ ଦାବି ଉଠିଥିଲା । ଆଉ ଏବେ ଦଳରୁ ଦୁଇ ଖେଳାଳି ବାଦ୍ ପଡ଼ିଥିବାବେଳେ ଆଗାମୀ ମ୍ୟାଚରେ ନାମିବିୟା ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି ଏହା ଉପରେ ନଜର ରହିଛି ।
