ଯୋଡା: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅର୍ନ୍ତଗତ ଯୋଡ଼ା ବଡ଼ବିଲ ମୁଖ୍ୟ ରାସ୍ତା ଭୁସୁଗାଁ ନିକଟରେ ଆଜି ଅପରାହ୍ନରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।
ମଧୁସ୍ମିତା ମହାନ୍ତ ନାମକ ମହିଳା ଗର୍ଭବତୀ ଥିବାରୁ ତାଙ୍କ ସ୍ୱାମୀ ମନୋରଞ୍ଜନ ମହାନ୍ତ ଏକ ମଟର ସାଇକେଲ ଯୋଗେ ଚିକିତ୍ସା ନିମନ୍ତେ ଯୋଡା ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଦୁହେଁ ବଡ଼ବିଲ ଅଭିମୁଖେ ଯାଉଥିବା ସମୟରେ ତାଙ୍କ ପଛପଟୁ ଏକ ହାଇୱା ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ଦୁହେଁ ଛିଟିକି ପଡ଼ିଥିଲେ । ଛିଟିକି ପଡ଼ିବାରୁ ଉକ୍ତ ହାଇୱାଟି ମଧୁସ୍ମିତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ମଧୁସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ମନୋରଞ୍ଜନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବଡ଼ବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ତଦନ୍ତ ଜାରି ରଖିଛି ।
