ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ତାରିକ୍ ରହମାନଙ୍କ ଫେବ୍ରୁଆରୀ ୧୭ ତାରିଖ ଶପଥ ଗ୍ରହଣ ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଯୋଗଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ମୋଦି ସେଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବାରୁ ଢାକା ଯାଇପାରିବେ ନାହିଁ। ବାଚସ୍ପତି ବିର୍ଲା ଏଥିପାଇଁ ଭାରତର ପ୍ରତିନିଧିତ୍ୱ କରିବେ। ବିର୍ଲାଙ୍କ ସହ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଢାକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଏନ୍ପି ଏକ ବଡ଼ ବିଜୟ ହାସଲ କରିବା ପରେ ସରକାର ଗଠନ କରିବାକୁ ଯାଉଛି। ୬୦ ବର୍ଷୀୟ ରହମାନ ୩୫ ବର୍ଷ ମଧ୍ୟରେ ଦେଶର ପ୍ରଥମ ପୁରୁଷ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ବାଂଲାଦେଶ ଭାରତ ସହ ଚୀନ୍, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ନେପାଳ, ମାଳଦ୍ୱୀପ ଏବଂ ଭୁଟାନ ଦେଶର ସରକାର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି।
