ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଆରମ୍ଭ ହୋଇଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୨ତମ ଦିନରେ ପହଞ୍ଚିଛି। ଏହି ପଦଯାତ୍ରା ଆଉ କେବଳ ଏକ ଦୈନିକ ଅଭିଯାନ ନୁହେଁ; ଏହା ଭକ୍ତଙ୍କ ଆସ୍ଥା, ଅଧିକାର ଓ ଆତ୍ମସମ୍ମାନ ପାଇଁ ଚାଲିଥିବା ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଆନ୍ଦୋଳନରେ ପରିଣତ ହୋଇଛି।ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛି। ପ୍ରତ୍ୟେକ ଦିନର ଏହି ଯାତ୍ରା ଗୋଟିଏ ମାତ୍ର ପ୍ରଶ୍ନ ଉଠାଉଛି— “ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି? ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ, ବରଂ ଏହା ପ୍ରତ୍ୟେକ ବିବେକବାନ ମଣିଷଙ୍କ ଅନ୍ତରାତ୍ମାକୁ ସ୍ପର୍ଶ କରୁଥିବା ଏକ ନୈତିକ ଆହ୍ୱାନ। ଅସଂଖ୍ୟ ସାଧାରଣ ଭକ୍ତଙ୍କ ହୃଦୟର ଭାବନାକୁ ଏହି ପଦଯାତ୍ରା ପ୍ରକାଶ କରୁଛି, ଯେଉଁମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ବଡ଼ କିମ୍ବା ଛୋଟ ନୁହେଁ।୧୦୨ ଦିନର ଏହି ନୀରବ ପଦଯାତ୍ରାରେ ଅସଂଖ୍ୟ ପଦଚିହ୍ନ ରାସ୍ତାରେ ମିଶିଯାଇଥିଲେ ମଧ୍ୟ ପ୍ରତ୍ୟେକ ପଦକ୍ଷେପ ଲୋକଙ୍କ ହୃଦୟରେ ଏକ ସ୍ଥାୟୀ ଚିହ୍ନ ରଖିଯାଇଛି।

ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନିରେ ଅଗଣିତ ଲୋକଙ୍କ ଅକୁହା ବେଦନା, ଆଶା ଓ ଅଟୁଟ ବିଶ୍ୱାସ ପ୍ରତିଧ୍ୱନିତ ହେଉଛି।ଜଗନ୍ନାଥ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ବାର୍ତ୍ତା ବହନ କରେ। ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରେ, ସେଠାରେ ଦର୍ଶନ ବ୍ୟବସ୍ଥାରେ ଭେଦଭାବର ଅନୁଭୂତି ଭକ୍ତମାନଙ୍କୁ ମର୍ମାହତ କରୁଛି। କୌଣସି ଭକ୍ତ ନିଜକୁ ପ୍ରଭୁଙ୍କ ଦ୍ୱାରରେ ପର ବୋଲି ଅନୁଭବ ନକରନ୍ତୁ—ଏହା ହିଁ ଏହି ପଦଯାତ୍ରାର ମୂଳ ସଂକଳ୍ପ।ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯାନ କୌଣସି ବିଶେଷ ସୁବିଧା ଦାବି କରୁନାହିଁ। ଏହା କେବଳ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ। ୧୦୦ ଦିନର ଐତିହାସିକ ସୋପାନ ଅତିକ୍ରମ କରି ଆଜି ୧୦୨ତମ ଦିନରେ ଏହି ପଦଯାତ୍ରା ପ୍ରମାଣ କରିଛି ଯେ ସତ୍ୟ, ଧୈର୍ଯ୍ୟ ଓ ଭକ୍ତିର ଶକ୍ତି କୌଣସି ବାଧାଠାରୁ ବଡ଼। ଶନିବାର ପଦଯାତ୍ରାରେ ସର୍ବଶ୍ରୀ ସର୍ବଶ୍ରୀ ବିଶ୍ୱନାଥ ମିଶ୍ର, ହରିଶଙ୍କର ମିଶ୍ର, ଜଗନ୍ନାଥ ମହାନ୍ତି, ସରସ୍ୱତୀ ପାତ୍ର, ମନୋରଞ୍ଜନ ରଣସିଂହ, ମମତା ସ୍ୱାଇଁ, ରାଜା ମହାନ୍ତି, ଶିଶିରକାନ୍ତ ଶତପଥୀ, ରଞ୍ଜିତ ବେହେରା, ଅରୁଣା ପଟ୍ଟନାୟକ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରଣତୀ ରାୟ, ପ୍ରଣତୀ ରାୟ, ଅଭିମନ୍ୟୁ ପ୍ରଧାନ, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମିନାକ୍ଷୀ ଦାସ, ସୁବାଷ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମାନସ ପଟ୍ଟନାୟକ, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ସରୋଜ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ସାହୁ, ମମତା ଦାସ, ସନ୍ଧ୍ୟାରଣୀ ମିଶ୍ର ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ।ଶେଷରେ ପଦଯାତ୍ରୀମାନେ ଗୋଟିଏ ନୀରବ ପ୍ରଶ୍ନ ଉଠାଇଥିଲେ ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ ।ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ। ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।
