ପୁରୀ: ଜାଗର ପାଇଁ ରବିବାର ଶ୍ରୀକ୍ଷେତ୍ରର ସମସ୍ତ ଶିବ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ବିଶେଷକରି ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭିଡ଼ ଦେଖିବାକୁ ମିଳିଛି। ଭୋର ତିନିଟାରୁ ଶ୍ରୀଲୋକନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ମନ୍ଦିରରେ ଲାଗି ରହିଛି। ଭକ୍ତମାନେ ଧାଡିବାନ୍ଧି ଦର୍ଶନ କରୁଛନ୍ତି। ଜାଗରପଦା ଯାଏ ଧାଡ଼ି ଲମ୍ବି ରହିଛି। ଶ୍ରଦ୍ଧାଳୁମାନେ ବାବାଙ୍କ ପ୍ରିୟ ବେଲପତ୍ର, ଅରଖଫୁଲ, ନଡ଼ିଆ, କଦଳୀ ଆଦି ଫଳ, କ୍ଷୀର ଲାଗି କରୁଛନ୍ତି। ବହୁ ଭକ୍ତ ବାବାଙ୍କୁ ଚୁଡ଼ାଘଷା, ରହଣି ଭୋଗ ଲଗାଉଛନ୍ତି। ପୁରୀ ତଥା ରାଜ୍ୟ ବାହାରୁ ଭକ୍ତମାନେ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ଦୀପ ଜାଳିବା ପାଇଁ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନ ହେବ। ସଂଧ୍ୟାରେ ଜାଗରପଦାରେ ଭକ୍ତମାନେ ରାତ୍ର ଉଜାଗର ରହି ନିଷ୍ଠାର ସହ ଦୀପ ଜାଳିବେ। ଭୋର ସମୟରେ ହରିହର ଭେଟ ନୀତି ସଂପନ୍ନ ହୋଇ ମହାଦୀପ କରିବା ପରେ ଭକ୍ତମାନେ ବ୍ରତ ଶେଷ କରିଥାନ୍ତି। ଭୋର ତିନିଟା ପରେ ମହାଦୀପ ଉଠିବାର ନୀତିନିର୍ଘଣ୍ଟ ହୋଇଛି। ଶୁକ୍ରବାର ପଙ୍କ ଉଝୁଳା ଏକାଦଶୀଠାରୁ ମନ୍ଦିରରେ ଗହଳିଚହଳି ଲାଗି ରହିଛି। ଶୃଙ୍ଖଳିତ ଦର୍ଶନ ତଥା ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ ନିୟୋଜିତ ହୋଇଛନ୍ତି। ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଜାଗରପଦାରେ ଶିବିରମାନ ସ୍ଥାପନ କରାଯାଇ ଭକ୍ତମାନଙ୍କୁ ସେବା ଯୋଗାଇ ଦିଆଯାଉଛି। ଜାଗରପଦାରେ ବହୁସଂଖ୍ୟାରେ ଦୀପ, ଭୋଗ ଦୋକାନ ଖୋଲିଛି। ଏହାଛଡ଼ା ଖାଦ୍ୟ ଓ ଘରକରଣା ଜିନିଷ ବିକ୍ରିବଟା ହେଉଛି। ବାବା ଲୋକନାଙ୍କ ପୀଠ ଛଡ଼ା ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ଶୈବପୀଠ ଶ୍ରୀକପାଳମୋଚନ, ଶ୍ରୀଯମେଶ୍ୱର, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ବିଭିନ୍ନ ସାହିର ବାନାମ୍ବର, ଶଙ୍କରେଶ୍ୱର, ତ୍ରୈମ୍ବକେଶ୍ୱର, ଆଖଣ୍ଡଳମଣି, ବାଲିକପିଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି। ସେହିପରି ପୁରୀ ଜିଲ୍ଲାର ଅନ୍ୟ ପ୍ରସିଦ୍ଧ ଶୈବ ପୀଠ ଯୋଡ଼ାଲିଙ୍ଗ, ବେଲେଶ୍ୱର, ବାଲିକପିଳେଶ୍ୱର, ବାବା ବିଶ୍ୱନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସର୍ବତ୍ର ‘ଓଁ ନମଃ ଶିବାୟ’ ମନ୍ତ୍ର ଗୁଂଜରିତ ହେଉଛି। ମହାଶିବରାତ୍ରୀରେ ମହାଦେବଙ୍କୁ ଦର୍ଶନ କଲେ ଅଶେଷ କୃପା ମିଳେ ବୋଲି ବିଶ୍ୱାସ ରହିଛି।
