ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜିନ୍ଦଲ ଫ୍ଲାଏଓଭରରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମଦାନାୟାକାନାହାଲି ଥାନା ଅଧୀନରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ସୂଚନା ଅନୁସାରେ ତୁମାକୁରୁରୁ ବେଙ୍ଗାଲୁରୁ ଯାଉଥିବା ଏକ ଇଣ୍ଡିକା କାର୍ ଫ୍ଲାଏଓଭର ନିୟନ୍ତ୍ରଣ ହରାଇ ଓଲଟି ପଡ଼ି ଏକ ବସ୍ ସହ ଧକ୍କା ଖାଇଥିଲା। ଫଳରେ କାରରେ ବସିଥିବା ସମସ୍ତ ୫ଜଣ ଯୁବକଙ୍କ ପ୍ରାଣହାନି ଘଟିଛି। ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଚାଳକ ଲିଖିତକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ପ୍ରାଣହାନି ଘଟିଛି। କାରଟି ସଂପୂର୍ଣ୍ଣ ଚୂନା ହୋଇଯାଇଛି। ୫ଜଣ ଯାକ ଯୁବକଙ୍କ ଘର ଦୋଦାବାଲପୁର ହୋଇଥିବା ବେଳେ ସେମାନେ ଘରକୁ ନ ଜଣାଇ ଯାତ୍ରା କରୁଥିଲେ। ଅନ୍ୟପକ୍ଷରେ ବସରେ ୪୨ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ।
