ସାହାରପଡା: କେନ୍ଦୁଝର ବନଖଣ୍ଡ, ପାଟଣା ବନାଞ୍ଚଳ, ସାହାରପଡା ବନ ସେକ୍ସନର ମାଛଗଡ଼ ଗ୍ରାମ ନିକଟରୁ ବନ ବିଭାଗ ୯ଟି ବିଶାଳ ଶାଳଗଛ ର କଟା ଗଣ୍ଡି କାଠ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ବନ ବିଭାଗ ଚଢ଼ାଉ କରି କାଠ ଗୁଡ଼ିକୁ ଜବତ କରିଥିଲା। ପରେ ସେଗୁଡ଼ିକୁ ସାହାରପଡା ବନପାଳ କାର୍ଯ୍ୟାଳୟକୁ ଅଣାଯାଇଛି।
ଏହି ଘଟଣା ପରେ ବନ ବିଭାଗର କାର୍ଯ୍ୟ ପ୍ରଣାଳୀକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏତେ ବିଶାଳ ଶାଳ ଗଛ କାଟି ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ବନ ବିଭାଗର ନଜର କାହିଁକି ପଡ଼ିଲା ନାହିଁ? ନିୟମିତ ପାଟ୍ରୋଲିଂ ଅଭାବ ରୁ ମାଫିଆ ମାନେ ଖୁଲମ ଖୁଲା କାଟି ଗଡ଼ କରି ଗାଡି ଯୋଗେ ଚାଲାଣ କରୁ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଶାଳ ବୃକ୍ଷ ବଡ଼ ହେବାକୁ ଦଶନ୍ଧି ଦଶନ୍ଧି ସମୟ ଲାଗିଥାଏ। କିନ୍ତୁ କାଠ ମାଫିଆମାନେ ଅଳ୍ପ ସମୟ ମଧ୍ୟରେ ଏହି ମୂଲ୍ୟବାନ ବନ ସମ୍ପଦକୁ କାଟି ଚୋରା ଚାଲାଣ କରୁଛନ୍ତି। ଏହା କେବଳ ବନ ସମ୍ପଦର କ୍ଷତି ନୁହେଁ, ପରିବେଶ ପାଇଁ ମଧ୍ୟ ବଡ଼ ବିପଦ। ଏହି ଘଟଣା ପରେ ସାହାରପଡା ଅଞ୍ଚଳରେ ବନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ କାଠ ମାଫିଆଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।
