ବାରିପଦା: ଏମଜିଏନଆରଇଜି ଯୋଜନା ଅନ୍ତର୍ଗତ ଶେଷ ବିଲ ପୈଠ କରିବା ପାଇଁ ୩୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ସିଂହଙ୍କୁ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । କନିଷ୍ଠ ଯନ୍ତ୍ରୀ ଶ୍ରୀ ସିଂହ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ଏକ ମନରେଗା କାମର ଶେଷ ବିଲ ପୈଠ କରିବା ପାଇଁ ବଡ଼ସାହି ବ୍ଲକ ଅନ୍ତର୍ଗତ ଏକ ଗ୍ରାମପଞ୍ଚାୟତ ଅଧୀନରେ ନିୟୋଜିତ ଜଣେ ମେଟଙ୍କ ଠାରୁ ଦାବୀ ମୁତାବକ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମେଟ ଜିପିରେ ୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ମୋରମ ମେଟାଲ ରାସ୍ତା କାମର କାର୍ଯ୍ୟ ତୁଲାଉଥିଲେ । କାମ ସମାପ୍ତ ହେବା ପରେ, ସେ ଅଭିଯୁକ୍ତ ଜେଇ ଶ୍ରୀ ସିଂହଙ୍କୁ ଚୂଡ଼ାନ୍ତ ବିଲ ପରିଶୋଧ କରିବା ପାଇଁ କିଛି ମାସ ଧରି ଅନୁରୋଧ କରି ଆସୁଥିଲେ । କିନ୍ତୁ ଅଭିଯୁକ୍ତ ଶ୍ରୀ ସିଂହ ୩୨ହଜାର ଟଙ୍କା (କାର୍ଯ୍ୟ ମୂଲ୍ୟର ପ୍ରାୟ ୭%) ଲାଞ୍ଚ ଦାବି କରିଥିଲେ । ଯେତେବେଳେ ମେଟ ଦାବି କରାଯାଇଥିବା ଲାଞ୍ଚ ଦେବାକୁ ଅସମର୍ଥ ପ୍ରକାଶ କଲେ, ଅଭିଯୁକ୍ତ ଶ୍ରୀ ସିଂହ ଲାଞ୍ଚ ନେବାକୁ ଜିଦ ଧରିଥିଲେ । ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ମେଟ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗ ମୁତାବକ ଲାଞ୍ଚ ନେଉଥିବା ସମୟରେ ଶ୍ରୀ ସିଂହଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲେ । ଅଭିଯୁକ୍ତ ଜେଇ ଶ୍ରୀ ସିଂହଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ମାମଲା ନେଇ ତଦନ୍ତ ଚାଲିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି । ଏ ସମ୍ପର୍କରେ, ବାଲେଶ୍ୱର ଭିଜିଲାନ୍ସ ପିଏସ କେସ ନମ୍ବର ୧୦/୨୦୨୬ ମୂଳେ ଏକ ମାମଲା ପଞ୍ଜିକୃତ ହୋଇଥିବାର ଜଣାଯାଇଛି ।
