ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଜମି ଜାଲିଆତି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସରକାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏଣିକି ଜମି ପଟ୍ଟାରେ ରହିବ କ୍ୟୁଆର କୋଡ୍। ଏହାକୁ ସ୍କାନ କରି ସମ୍ପୃକ୍ତ ଜମିର ସମସ୍ତ ବିବରଣୀ ଜାଣିହେବ ଓ କେହି ଏହାକୁ ଜାଲିଆତି କରି ବିକ୍ରି ପାଇଁ ଉଦ୍ୟମ କଲେ ସମ୍ପୃକ୍ତ ଅଂଚଳର ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ପାଖକୁ ସତର୍କ ସୂଚନା ମଧ୍ୟ ଯିବ। ଏଭଳି ଜ୍ଞାନକୌଶଳ ସମ୍ପନ୍ନ ଜମି ପଟ୍ଟା ପ୍ରସ୍ତୁତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ପ୍ରକୃତ ଜମି ମାଲିକଙ୍କୁ ସୁରକ୍ଷା ଦେବା ସହ ଜମି ମାଫିଆ ଓ ଦଲାଲଙ୍କ ପ୍ରାଦୁର୍ଭାବ ହ୍ରାସ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ସହ ମିଶି ଓଡ଼ିଶାରେ ଜମି କାରବାରକୁ ଅଧିକ ସ୍ୱଚ୍ଛ ଓ ନିରାପଦ କରିବା ନିମନ୍ତେ ଏକ ବୈପ୍ଲବିକ ପଦକ୍ଷେପ ନେବାକୁ ଯାଉଛନ୍ତି । ଜମିଜମା ସଂକ୍ରାନ୍ତ ଜାଲିଆତି ଓ ଠକେଇକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ପାଇଁ ଏଣିକି ଜମି ପଟ୍ଟାରେ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ କହିବା ଅନୁସାରେ, ଆଗାମୀ ଦିନରେ ଜମି ପଟ୍ଟା ବା ରେକର୍ଡ ଅଫ ରାଇଟସରେ ଏକ ସ୍ୱତନ୍ତ୍ର କ୍ୟୁଆର କୋଡ୍ ରହିବ। ଏହି କୋଡକୁ ସ୍କାନ୍ କରିବା ମାତ୍ରେ ସମ୍ପୃକ୍ତ ଜମିର ସମ୍ପୂର୍ଣ୍ଣ ବିବରଣୀ ଓ ଏହାର ଇତିହାସ ମୋବାଇଲ ସ୍କ୍ରିନରେ ଉପଲବ୍ଧ ହେବ। ଏହି ଡିଜିଟାଲ ଯାଂଚ ପ୍ରକ୍ରିୟା ମାଧ୍ୟମରେ ଜମି କିଣିବାକୁ ଚାହୁଁଥିବା ବ୍ୟକ୍ତ ତୁରନ୍ତ ଜମିର ମାଲିକାନା ସତ୍ତ୍ୱ କାହା ନାଁରେ ଅଛି ଓ ଏଥିରେ କୌଣସି ଆଇନଗତ ସମସ୍ୟା ରହିଛି କି ନାହିଁ ତାହା ମଧ୍ୟ ଜାଣିପାରିବେ। ଏହି ନୂଆ ବ୍ୟବସ୍ଥାରେ ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ସୁରକ୍ଷା ବ୍ୟବସ୍ଥା। ଯଦି କେହି ଜାଲିଆତି କରି ଜମି ବିକ୍ରି ପାଇଁ ପ୍ରୟାସ କରେ, ତା’ହେଲେ ସମ୍ପୃକ୍ତ ଜମି ଥିବା ଅଂଚଳର ଆରଆଇ(ରାଜସ୍ୱ ନିରୀକ୍ଷକ) ଓ ତହସିଲଦାରଙ୍କ ପାଖକୁ ଆଲର୍ଟ ମେସେଜ୍ ପଳାଇବ। ଏହାଦ୍ୱାରା ବେଆଇନ କାରବାର ସମ୍ପର୍କରେ ପ୍ରଶାସନ ସଙ୍ଗେସଙ୍ଗେ ଅବଗତ ହୋଇପାରିବ ଓ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ସୁଯୋଗ ପାଇପାରିବ । ଏହି ବ୍ୟବସ୍ଥା ଜମି କିଣାବିକାରେ ସ୍ୱଚ୍ଛତା ଆଣିବାରେ ସହାୟକ ହେବ। କେବଳ ଏହି କ୍ୟୁଆର କୋଡଯୁକ୍ତ ଜମି ପଟ୍ଟା ନୁହେଁ, ବିଭାଗ ପକ୍ଷରୁ ଖୁବଶୀଘ୍ର ରାଜ୍ୟବ୍ୟାପୀ ଜମି ସର୍ବେକ୍ଷଣ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସରକାରୀ ଓ ଘରୋଇ ଜମିର ସୀମା ନିର୍ଦ୍ଧାରଣ ଏହି ସର୍ବେକ୍ଷଣ ମାଧ୍ୟମରେ କରାଯିବ। ପୂର୍ବରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଜମିର ବର୍ତ୍ତମାନର ସ୍ଥିତି ଓ ଉପଯୋଗ ସମ୍ପର୍କରେ ମଧ୍ୟ ସଠିକ୍ ଡାଟାବେସ୍ ସରକାରଙ୍କ ପାଖରେ ଉପଲବ୍ଧ ହୋଇପାରିବ। ଯାହାଫଳରେ ସରକାରୀ ଜମିର ସୁପରିଚାଳନା ଓ ଶୃଙ୍ଖଳିତ ଢଙ୍ଗରେ ଉପଯୋଗ କ୍ଷେତ୍ରରେ ଉତ୍ତରଦାୟିତ୍ୱ ରହିପାରିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।
