ପୁରୀ (ବ୍ୟୁରୋ) : ପୁରୀ ହେଉଛି ଶୈବ ଶକ୍ତିର ପୀଠ । ଶୈବ ସଂସ୍କୃତିକୁ ନେଇ ପୁରୀରେ ମାହାତ୍ମୀୟତା ରହିଛି । ଆଉ ଗୋଟିଏ ଦିନ ପରେ ପାଳନ ହେବାକୁ ଯାଉଛି ମହାଶିବରାତ୍ରି ଜାଗର । ଆଜି ପାଳିତ ହେଉଅଛି ପଙ୍କ ଉଦ୍ଧାର ଏକାଦଶୀ ।ପୁରୀ ଲୋକନାଥ ଙ୍କ ପୀଠ ହେଉଛି ସର୍ବ ଭାରତରେ ଏକମାତ୍ର ଶୈବ ପୀଠ ଯେଉଁଠି କେବଳ ପଙ୍କ ଉଦ୍ଧାର କରାଯାଇଥାଏ । ଏହାର ଯେପରି ମାହାତ୍ମୀୟତା ରହିଛି ସେହିପରି ପଙ୍କ ଉଦ୍ଧାର ଏକାଦଶୀ ପୂର୍ବରୁ ରହଣି ଭୋଗର ମଧ୍ୟ ମାହାତ୍ମିୟତା ରହିଛି ।ଏହି ରହଣି ଭୋଗ କେବଳ ପୁରୀ ରେ ଦେଖିବାକୁ ମିଳିଥିବା ବେଳେ ଏହା କେବଳ ଜାଗର ପୂର୍ବରୁ ପ୍ରସ୍ତୁତ କରାଯାଇଥାଏ ।ସମସ୍ତ ଖାଦ୍ୟ ଅଧିକ ଦିନ ରହିଗଲେ ନଷ୍ଟ ହୋଇ ଯାଉଥିବା ବେଳେ ରହଣି ଭୋଗ ହେଉଛି ଏପରି ଦ୍ରବ୍ୟ ଯାହାକି ଯେତେଦିନ ରହିଲେ ତାହା ନଷ୍ଟ ନହୋଇ ଅତ୍ୟନ୍ତ ବାସ୍ନା ହୋଇଥାଏ । ତେଣୁ କଥାକାରଙ୍କ ମତରେ ରହି ରହି ଯେଉଁ ଖାଦ୍ୟକୁ ଖିଆ ଯାଇଥାଏ ତାହାକୁ ରହଣି ଭୋଗ କୁହାଯାଇଥାଏ ।ତେଣୁ ଏହି ରହଣି ଭୋଗ ପୁରୀ ସହରର ବିଭିନ୍ନ ଶୈବ ପୀଠରେ ଜାଗର ପୂର୍ବରୁ ପ୍ରସ୍ତୁତ ହୋଇଥାଏା ।ଏହି ରହଣି ଭୋଗରେ ଖଜା,ଲୁଣି ଖୁରୁମା,ଖାସ୍ତା ଗଜା,ବଲ୍ଲଭ,କେଳି,ଲବଙ୍ଗ ଲତା ଆଦି ପ୍ରସ୍ତୁତ ହୋଇଥାଏ ।ଏହି ପ୍ରସ୍ତୁତି ପରେ ପଙ୍କ ଉଦ୍ଧାର ଏକାଦଶୀ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରେ ସମର୍ପଣ କରାଯାଇଥାଏ । ଏହାପରେ ଏହାକୁ ରହଣି ଭୋଗ ବୋଲି କୁହାଯାଇଥାଏ।
