ପୁରୀବ୍ୟୁରୋ: କେନ୍ଦ୍ର ଓ ରାଜ୍ୟସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଗୁଡିକ ପକ୍ଷରୁ ଗୁରବାର ଦେଶବ୍ୟାପୀ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ ଡାକରାରେ ଧର୍ମଘଟକୁ କଂଗ୍ରେସ, କୃଷକ ସଙ୍ଗଠନ ଏବଂ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି । ସକାଳ ୬ରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଧର୍ମଘଟ ବଳବତ୍ତର ରହିଥିବା ବେଳେ ପୁରୀରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବସଷ୍ଟାଣ୍ଡ ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା । ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ଅଟୋ ଚଳାଚଳ ଓ ଯାତାୟତ ବାଧାପ୍ରାପ୍ତ ସହ ଲୋକମାନେ ହନ୍ତସନ୍ତ ପୁରୀରେ ଦେଖିବାକୁ ମିଳିଥିଲା । ଧର୍ମଘଟରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିଲା । କେନ୍ଦ୍ରୀୟ ସଙ୍ଗଠନ ଆଇଏନଟିୟୁସି, ଏଆଇଟିୟୁସି,ଏଚ୍ଏମ୍ଏସ୍, ସିଆଇଟିୟୁ ଏଆୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏମ,ୟୁଟିୟୁସି ସାଧାରଣ ଧର୍ମଘଟରେ ସାମିଲ ହୋଇଥିବା ବେଳେ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ ଏମଏଲ, ଲିବରେସନ ଓ ଅଲଇଣ୍ଡିଆ ଫରୱାଡ ବ୍ଲକ ସମର୍ଥନ ଘୋଷଣା କରି ରାଜ୍ୟରେ ଜନଗଣ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ସେମାନେ ଆହ୍ୱାନ କରିଥିଲେ ।

କଂଗ୍ରେସ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରିଥିବାରୁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ଧର୍ମଘଟ ଜୋରଦାର କରିଥିଲା । ସିଟୁର ସମ୍ପାଦକ ଶରତ କୁମାର ରାୟଗୁରୁ, ଏଆଇଟିୟୁସିର ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାନ୍ତି, ସିପିଏମର ସମ୍ପାଦକ ଜଗନ୍ନାଥ ଦେଓ,ସୁରେନ୍ଦ୍ର ନାଥ ଜେନା, ଟୁନା ନାୟକଙ୍କ ସମେତ ମହିଳା ଓ ପୁରୁଷ ନେତୃତ୍ୱ ମଣ୍ଡଳୀର କର୍ମୀ ମାନେ ବିଭିନ୍ନ ନାରାଦେବା ସହ ଶ୍ରମିକ ସ୍ୱାର୍ଥ ବିରୋଧୀ, ୪ଟି ଶ୍ରମ କୋଡ ରଦ୍ଦ, ଭିବି ଜୀ ରାମ-ଜୀ ଆଇନ ରଦ୍ଦ, ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ମଜୁରି ୨୬ ହଜାର ଟଙ୍କା ପ୍ରଦାନ ସହିତ ଅଙ୍ଗନବାଡି, ଆଶା, ପାଚିକା, ଉଦ୍ଯାନ ସାଥୀ, ଗ୍ରାମପଞ୍ଚାୟତ କର୍ମଚାରୀ,ଜୀବିକା ମିଶନ ପ୍ରମୁଖ ଯୋଜନା ଭିତ୍ତିକ ଶ୍ରମିକଙ୍କୁ ଶ୍ରମିକ ମାନ୍ୟତା, ବିଦ୍ୟୁତ ସଂଶୋଧନ ବିଲ ୨୦୨୫ ଓ ଘରୋଇ ସେକ୍ଟର ଆଣବିକ ଶକ୍ତି ଭିତ୍ତିକ ବିଲ ୨୦୨୫ ରଦ୍ଦ କରିବା ଦାବି କରି ସହର ବସଷ୍ଟାଣ୍ଡ, ରେଳଷ୍ଟେସନ, ମେଡିକାଲ ଛକ, ବଡଦାଣ୍ଡ, କଚେରୀ ଛକରେ ଶତାଧିକ କର୍ମୀ ଓ ସମର୍ଥକମାନେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
