ପୁରୀ ବ୍ୟୁରୋ: ଗତକାଲି ବ୍ଲୁ ଫ୍ଲାଗ୍ ବିଚ୍ରେ ଜୀବନ୍ତ ଶାମୁକାଙ୍କ ଖେଳ ପର୍ଯ୍ୟଟକଙ୍କୁ ବିମୋହିତ କରିଥିବା ବେଳେ ଆଜି ପୁରୀ ସମୁଦ୍ରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଦିଗବାରେଣୀ ସମ୍ମୁଖ ବେଳାଭୁମିରେ ।ଦଳ ଦଳ ହୋଇ ଡଲ୍ଫିନ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଦଳ ସ୍ୱର୍ଗଦ୍ୱାରରୁ ପେଣ୍ଠକଟା ପଟକୁ ଯାଉଥିବା ବେଳେ ଆଉ ଗୋଟିଏ ଦଳ ପେଣ୍ଠକଟା ପଟୁ ସ୍ୱାର୍ଗଦ୍ୱାର ଆଡ଼କୁ ଯାଉଥିଲା ଗୋଟିଏ ଦଳରେ ୩ରୁ ୪ ଡଲ୍ଫିନ୍ ଦଳ ହୋଇ ପାଣି ଉପରକୁ ଉଠୁଥିଲେ ଏବଂ ଡୁବି ଯାଉଥିଲେ। ପୁଣି ୨୦ମିଟର ଦୂରରେ ଉଠି ଡୁବି ଯାଉଥିଲେ । ଏଭଳି ଏକ ମନୋରମ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଡଲ୍ଫିନ୍ ଦେଖିବାକୁ ପର୍ଯ୍ୟଟକ ଚିଲିକା ଯାଉଥିବା ବେଳେ ପୁରୀ ସମୁଦ୍ରରେ ଏହି ଦୃଶ୍ୟକୁ ପର୍ଯ୍ୟଟକ ମନଭରି ଉପଭୋଗ କରୁଥିବା ଦେଖାଯାଇଛି। ସମୁଦ୍ରକୂଳରୁ ମାତ୍ର ଶହେ ମିଟର ଦୂରରେ ଥିବାରୁ ଏହି ଡଲ୍ଫିନ୍ ଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ । ଏଣୁ ସ୍ନାନ ପାଇଁ ଯାଇଥିବା ପ୍ରତ୍ୟେକ ପର୍ଯ୍ୟଟକ ସମୁଦ୍ର ପାଣିରେ ଥାଇ ଏହି ଦୃଶ୍ୟକୁ ଉପଭୋଗ କରୁଥିବା ପରିଲକ୍ଷିତ ହୋଇଥିଲା।ବିଶେଷଜ୍ଞଙ୍କ ମତରେ ଶୀତଦିନେ ସମୁଦ୍ର ଶାନ୍ତ ରହିଥିବାରୁ ଏହି ଡଲଫିନ କୂଳକୁ ଆସିଥାନ୍ତି। ଏହି ଋତୁରେ ଡଲ୍ଫିନ୍ ମାନେ ଚିଲିକାରୁ ଚନ୍ଦ୍ରଭାଗା ଯାଇଥାନ୍ତି । ସମୁଦ୍ର ରାସ୍ତାରେ ଗଲାବେଳେ ସେମାନେ ଏଭଳି ଦଳଦଳ ହୋଇ, ବୁଡ଼ି ଉଠି ଯାଇଥାନ୍ତି। ଓଡ଼ିଶାର ଚନ୍ଦ୍ରଭାଗା, ଚିଲିକା ଏବଂ ଭିତରକନିକା ସଂଲଗ୍ନ ସମୁଦ୍ର ଓ ନଦୀରେ ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍େଥସ ପାରିପଏସ ଓ ଗାଙ୍ଗଟିକ ଭଳି ବିରଳ ପ୍ରଜାତିର ଡଲଫିନ ଦେଖିବାକୁ ମିଳନ୍ତି। ଆଜି ପୁରୀ ସମୁଦ୍ରରେ ଦେଖାଯାଇଥିବା ଡଲଫିନ ଇରାୱାଡ଼ି ପ୍ରଜାତିର ବୋଲି ଜଣାପଡ଼ିଛି ।
