ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଅବିରତ ଚାଲିଥିବା ସଚେତନତା ପଦଯାତ୍ରା ଆଜି ଐତିହାସିକ ୧୦୦ ଦିନ ପୂରଣ କରିଛି। ଶତଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟାର ମାଇଲଖୁଣ୍ଟ ନୁହେଁ; ଏହା ଭକ୍ତି, ଅଧିକାର, ସମତା ଓ ଆତ୍ମସମ୍ମାନ ପାଇଁ ଏକ ନୀରବ କିନ୍ତୁ ଦୃଢ଼ ଅହିଂସକ ଜନଜାଗରଣର ଐତିହାସିକ ଅଧ୍ୟାୟ ଭାବେ ପରିଗଣିତ ହୋଇଛି।ଗତ ୧ ଏପ୍ରିଲ, ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଶାନ୍ତିପୂର୍ଣ୍ଣ ଆହ୍ୱାନ ଜଣାଇ ଆସୁଛି।ଆଜିର ୧୦୦ ଦିନର ପଦଯାତ୍ରାରେ ଶତାଧିକ ବ୍ୟକ୍ତିବିଶେଷ ଯୋଗଦେଇ ଏହି ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନଙ୍କ ଉପସ୍ଥିତି ଏହି ପଦଯାତ୍ରାକୁ ଏକ ବ୍ୟାପକ ଜନସମର୍ଥନର ରୂପ ପ୍ରଦାନ କରିଥିଲା।ପଦଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ଯୋଗଦେଇ “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ପରିବେଶକୁ ଭକ୍ତିମୟ କରିଥିଲେ। ସଂକୀର୍ତ୍ତନର ସୁରରେ ପଦଯାତ୍ରା ଆଗକୁ ବଢ଼ିବା ସହ ଭକ୍ତମାନଙ୍କ ମନରେ ଏକ ଆଧ୍ୟାତ୍ମିକ ଉତ୍ସାହ ଓ ସମତାର ବାର୍ତ୍ତା ପ୍ରତିଧ୍ୱନିତ ହୋଇଥିଲା।୧୦୦ ଦିନ ପୂରଣ ଅବସରରେ ଶ୍ରୀମନ୍ଦିର ନିକଟରେ ୧୦୦ ଦୀପ ପ୍ରଜ୍ୱଳନ କରାଯାଇଥିଲା।

ଏହି ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ପଦଯାତ୍ରାର ତପସ୍ୟା, ଭକ୍ତି ଓ ଆଶାର ଏକ ଅନନ୍ୟ ପ୍ରତୀକ ହୋଇଉଠିଥିଲା। ଶ୍ରୀମନ୍ଦିର ନିକଟରେ ଜଳିଉଠିଥିବା ଏହି ୧୦୦ ଦୀପ ଭକ୍ତମାନଙ୍କ ଅଧିକାର, ସମତା ଓ ଆସ୍ଥାର ଆଲୋକକୁ ପ୍ରତିନିଧିତ୍ୱ କରୁଥିବା ବୋଲି ଉପସ୍ଥିତ ଲୋକମାନେ ମତ ପ୍ରକାଶ କରିଥିଲେ।ଏହି ପଦଯାତ୍ରା କୌଣସି ରାଜନୈତିକ କାର୍ଯ୍ୟକ୍ରମ କିମ୍ବା ବ୍ୟକ୍ତିବିରୋଧୀ ଆନ୍ଦୋଳନ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ଆଦର୍ଶକୁ ସୁଦୃଢ଼ କରିବା ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ ବୋଲି ଆୟୋଜକମାନେ ସ୍ପଷ୍ଟ କରିଥିଲେ।

ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ମନୋରଞ୍ଜନ ରଣସିଂହ, ଶିବସୁନ୍ଦର ମିଶ୍ର, ବାସୁଦେବ ଲେଙ୍କା, ପ୍ରୀୟନ୍ସି ଦାସ, ଉମା ବଲ୍ଲଭ ରଥ, ରାଜେଶ୍ ମିଶ୍ର,ଅମରେନ୍ଦ୍ର ପାଇକରାୟ,ଅରୁଣା ପଟ୍ଟନାୟକ, ସନ୍ଧ୍ୟାରଣୀ ମିଶ୍ର, ମମତା ସ୍ୱାଇଁ, ପ୍ରଣତୀ ରାୟ, ଭାରତୀ ମହାନ୍ତି, ନିହାରିକା ତ୍ରିପାଠୀ, ଜଗନ୍ନାଥ ଦେଓ, ଶିଶିରକାନ୍ତ ଶତପଥୀ, ପ୍ରଫୁଲ୍ଲ କୁମାର ସାହୁ, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ମହାନ୍ତି, ବଙ୍କିମ ଚନ୍ଦ୍ର ନାୟକ, ମାନସ ପଟ୍ଟନାୟକ, ସୁକାନ୍ତ ପଣ୍ଡା, ରାଜା ମହାନ୍ତି,ଦିଲ୍ଲୀପ ତ୍ରିପାଠୀ, ସଞ୍ଜୀବ ରଥଶର୍ମା, ଜୁପିଟର ମିଶ୍ର, ପ୍ରସନ୍ନ ଲେଙ୍କା, ଲାଲା ଅନନ୍ତ କୁମାର ସିଂ, ସୁବାସ ପଟ୍ଟନାୟକ, ମିନାକ୍ଷୀ ଦାସ,ସରସ୍ୱତୀ ପାତ୍ର, ସୁପ୍ରିୟା ପ୍ରଧାନ,ସରସ୍ୱତୀ ସାହୁ, ସବିତା ବିଶ୍ୱାଳ, ଜୟନ୍ତୀ ବିଶ୍ୱାଳ, ବନିତା ମହାନ୍ତି, କାହୁଁ ଚରଣ ପ୍ରଧାନ, ଛବି ରାଣୀ ମହାରଣା,ସମେତ ଶତାଧିକ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବକ, ମହିଳା ଓ ବରିଷ୍ଠ ନାଗରିକ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ଶହେ ଦିନର ନୀରବ ପଦଯାତ୍ରା ଶୋଭାଯାତ୍ରା ସହ ପୁରୀବାସୀଙ୍କ ଦର୍ଶନ ଅଭିଯାନକୁ ଆଗକୁ ନେବାକୁ ଆହ୍ୱାନ କରିଥିଲେ ।
