ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଏକ ଡ୍ରୋନ୍ ଉଡୁଥିବା ନଜରକୁ ଆସିଥିଲା। ଏହି ଖବରପାଇ ତୁରନ୍ତ ପୋଲିସ ଡ୍ରୋନକୁ ଧରିବା ପାଇଁ ଉଦ୍ୟମ କରି ସେଥିରେ ସଫଳ ହୋଇଥିଲା।ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବା ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ପୋଲିସ ଟିମ୍ ତୁରନ୍ତ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍?ଟିକୁ ସଫଳତାର ସହ ଜବତ କରିଥିଲା। ଏହାକୁ ପରିଚାଳନା କରୁଥିବା ଯୁବକ?ଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।ତେବେ ଡ୍ରୋନ୍ ଉଡାଉଥିବା ଯୁବକ ଜଣକ କୋଲକାତାର ଜୟକୃଷ୍ଣ ମଣ୍ଡଳ। ପୋଲିସ ସମ୍ପୃକ୍ତ ଯୁବକକୁ ସିଂହଦ୍ୱାର ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଶ୍ରୀମନ୍ଦିର ଉପରେ ଓ ଏହାର ଚତୁଃପାର୍ଶ୍ୱରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
