ନୂଆଦିଲ୍ଲୀ: ଭାରତର ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ ନରଭାଣେଙ୍କ ଅପ୍ରକାଶିତ ପୁସ୍ତକ ‘ଫୋର୍ ଷ୍ଟାର୍ ଅଫ୍ ଡେଷ୍ଟିନି’ ଲିକ୍ ହେବା ନେଇ ଦିଲ୍ଲୀ ପୋଲିସ ସୋମବାର ଏକ ଏଫ୍ଆଇଆର ରୁଜୁ କରିଛି। ସଂସଦର ବଜେଟ୍ ଅଧିବେଶନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପୁସ୍ତକର କେତେକ ଲେଖା ଉପରେ ବକ୍ତବ୍ୟ ରଖିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଲୋକସଭାକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିିଥିଲା। ଏପରିକି ବିରୋଧୀ ଦଳର ଆଠ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲା। ପୋଲିସ କହିଛି ଯେ, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏହି ପୁସ୍ତକ ଅନଲାଇନ୍ରେ ପ୍ରସାରଣ କରାଯାଇଛି। ପେଙ୍ଗୁଇନ ରାଣ୍ଡମ ହାଉସ୍ ମିଡିଆ ପ୍ରା.ଲି. ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକର ଏକ ପିଡିଏଫ୍ ଭର୍ସନ କେତେକ ଅନଲାଇନ୍ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଥିଲା।
