ଯାଜପୁର: ଚଳିତ ବର୍ଷ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ବିଭାଗର ସଚିବ, ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଯୋଗ ଦେଇଥିଲେ। ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ କିପରି ଶାନ୍ତି ଶୃଙ୍ଖଳାର ସହ ବିନା କୌଣସି ବିଭ୍ରାଟରେ କରାଯାଇପାରିବ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ମୋଟ ୧୦ ଟି ନୋଡାଲ କେନ୍ଦ୍ର ଏବଂ ୧୫୧ ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ପାଇଁ ଯାଜପୁର ଜିଲ୍ଲାରେ ମୋଟ ୭ ଟି ପରୀକ୍ଷା ପରିଚାଳନା ହବ ସହ ୫୬ ଟି ପରୀକ୍ଷା କେନ୍ଦ୍ର ଏହି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକୁ ଏକ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ନିରୀକ୍ଷଣ କରାଯିବ।ପରୀକ୍ଷା ପରିଚାଳନା ହବଗୁଡିକରେ ସିସିଟିଭି ସ୍ଥାପନ କରାଯାଇଛି। ପ୍ରଶ୍ନପତ୍ର ଯେପରି ଲିକ୍ ନ ହୁଏ, ସେ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡିକରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ନିୟୋଜିତ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାର୍ଥୀ ଏବଂ ପରୀକ୍ଷା କେନ୍ଦ୍ରରେ ନିୟୋଜିତ କର୍ମଚାରୀ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ମୋବାଇଲ ପରୀକ୍ଷା ହଲ୍ ଭିତରକୁ ନେଇପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁଙ୍କ ସହ ବିଭିନ୍ନ କଲେଜ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।
ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ














Leave a Reply