ପୁରୀ: ପୁରୀ ପୋଲିସ ଦ୍ୱାରା ଭକ୍ତମାନଙ୍କ ସୁରକ୍ଷା ଓ ସହାୟତା କ୍ଷେତ୍ରରେ ଆଉ ଏକ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି। ହଜିଯାଇଥିବା ସୁନା ଅଳଙ୍କାର ଓ ନଗଦ ଅର୍ଥ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ସୁରକ୍ଷିତ ଭାବେ ଫେରସ୍ତ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ପାଟଣାସାହି ଗ୍ରାମର ପୁଷ୍ପଲତା ସାହୁ, ସ୍ୱାମୀ- ନିରଞ୍ଜନ ସାହୁ ତାଙ୍କର ପ୍ରାୟ ୨୫ ଗ୍ରାମ ଓଜନର ଏକ ସୁନା ଚେନ୍ ସହିତ ସୁନା ଲକେଟ୍ ଏବଂ ନଗଦ ୩,୫୦୦ ଟଙ୍କା ହଜିଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁରୀ ପୋଲିସ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲା। ତଦନ୍ତ ପ୍ରକ୍ରିୟାରେ ସିସିଟିଭି ଫୁଟେଜ୍?କୁ ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପୋଲିସର ତତ୍ପରତା ଓ ନିଷ୍ଠାପୂର୍ଣ୍ଣ ଉଦ୍ୟମ ଫଳରେ ହଜିଯାଇଥିବା ସୁନା ଚେନ୍, ସୁନା ଲକେଟ୍ ଓ ନଗଦ ଅର୍ଥ ଉଦ୍ଧାର କରାଯିବାରେ ସଫଳତା ମିଳିଥିଲା। ପରବର୍ତ୍ତୀ ସମୟରେ ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀ ସମ୍ପର୍କରେ ଉପଯୁକ୍ତ ଯାଞ୍ଚ ଓ ପରିଚୟ ପ୍ରକ୍ରିୟା ସମ୍ପନ୍ନ କରାଯାଇ ପ୍ରକୃତ ମାଲିକ ପୁଷ୍ପଲତା ସାହୁଙ୍କ ଜିମାରେ ଫେରସ୍ତ କରାଯାଇଥିଲା। ନିଜର ହଜିଯାଇଥିବା ମୂଲ୍ୟବାନ ସମ୍ପତ୍ତି ପୁନର୍ବାର ଫେରିପାଇ ପୁଷ୍ପଲତା ସାହୁ ଏବଂ ତାଙ୍କ ପରିବାର ସଦସ୍ୟମାନେ ପୁରୀ ପୋଲିସ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପୁରୀ ପୋଲିସ ସଦା ସର୍ବଦା ଜନସାଧାରଣଙ୍କ ସୁରକ୍ଷା, ସହାୟତା ଓ ସେବା ପାଇଁ ପ୍ରତିବଦ୍ଧ ରହିଛି।
