ପୁରୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ପ୍ରବଳ ଢେଉର ପ୍ରଭାବରେ ସମୁଦ୍ର ଭିତରେ ଥିବା ଏହି ବିଶାଳକାୟ ଲୁହା ବଲ୍ଟି ଛିଣ୍ଡି ଭାସି ଆସି ଅସ୍ତରଙ୍ଗ ଉପକୂଳରେ ଲାଗିଥିବା ସୂଚନା ମିଳିଛି । ଏହି ସାମୁଦ୍ରିକ ବଲ୍ ସାଧାରଣ ବସ୍ତୁ ନୁହେଁ । ସମୁଦ୍ରରେ ଜାହାଜ ଓ ମାଛଧରା ଟ୍ରଲରକୁ ସଠିକ୍ ଦିଗ ଦେଖାଇବା ପାଇଁ ଏହାକୁ ନେଭିଗେସନ୍ ବୁଏ ବା ଦିଗବାରେଣୀ ଭାବେ ବ୍ୟବହାର କରାଯାଏ । ଏହାର ଉପର ଭାଗରେ ଲାଗିଥିବା ଲାଇଟ୍ ସନ୍ଧ୍ୟା ସମୟରେ ଜଳିଉଠି ସମୁଦ୍ର ପଥରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ଦିଗ ନିର୍ଦ୍ଦେଶ କରିଥାଏ ।କିଛି ବର୍ଷ ପୂର୍ବରୁ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ ଏଭଳି ଅନେକ ବୁଏ ସ୍ଥାପନ କରାଯାଇଥିଲା ।

ତେବେ ପ୍ରତିକୂଳ ପାଗ ଓ ପ୍ରବଳ ଢେଉରେ ଏହା ଛିଣ୍ଡି ଉପକୂଳକୁ ଭାସି ଆସିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଏହି ବିଶାଳ ଲୁହା ବଲ୍?ଟି ସମୁଦ୍ର କୂଳର ବାଲିରେ ଅଂଶିକ ଭାବେ ପୋତି ହୋଇ ରହିଛି। ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଭିଡ଼ ଜମାଉଛନ୍ତି । ଏହାକୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ ବୋଲି ସ୍ଥାନୀୟ ଲୋକ ଆଶା ପ୍ରକାଶ କରିଛନ୍ତି ।
