ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ପାଇଁ ଏକ ଝଟକା ସ୍ୱରୂପ, ଦଳର ଦୁଇ ବିଧାୟକ ହରମୀତ ସିଂହ ପାଥାନମାଜରା ଏବଂ ଚେତନ ସିଂହ ଜୌରାମାଜରା ଇସ୍ତଫା ଦେଇଛନ୍ତି। ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଉଦ୍ଦେଶ୍ୟ କରି ଲେଖିଥିବା ଏକ ଚିଠିରେ ସେ କହିଛନ୍ତି, ମୁଁ ଏଥିସହିତ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ତୁରନ୍ତ ଲାଗୁ ହେବା ଭଳି ଇସ୍ତଫା ପ୍ରଦାନ କରୁଛି। ସମାନାର ବିଧାୟକ ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜୌରାମାଜରା ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ, ଚେତନ ସିଂହ ଜୌରାମାଜରା, ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ପଞ୍ଜାବ ନିର୍ବାଚନ ପାଇଁ ଆପ୍ ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ଆପ୍ ନିଜର ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବାର ଗୋଟିଏ ଦିନ ପରେ ଏହି ଇସ୍ତଫା ଘଟଣା ସାମ୍ନାକୁ ଆସିଛି। ଆପ୍ ନିଜର ୪୦ ଜଣ ବର୍ତ୍ତମାନର ବିଧାୟକଙ୍କୁ ସେମାନଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ପ୍ରାର୍ଥୀ କରିଛି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ “ଆପ୍’ ହେଉଛି ପ୍ରଥମ ପ୍ରମୁଖ ରାଜନୈତିକ ଦଳ। ଦିଲ୍ଲୀରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ମୁଖ୍ୟମନ୍ତ୍ରୀ ମାନ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ସମ୍ପର୍କରେ ଘୋଷଣା କରିଥିଲେ।
