ଲକ୍ଷ୍ନୌ: ରାମପୁର ଜେଲରୁ ଜାମିନରେ ମୁକୁଳିବାର କିଛି ସମୟ ପରେ, ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଅଟକ ରଖିଛି। ଏକ କଥିତ ମନି ଲଣ୍ଡରିଂ (ଅର୍ଥ ହେରଫେର) ମାମଲାରେ ଜେଲ ପରିସର ବାହାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ଗିରଫଦାରୀ ସମ୍ବନ୍ଧୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ, ଆଜମ ଖାନଙ୍କୁ ଗାଜିଆବାଦ ସ୍ଥିତ ସେହି କୋର୍ଟରେ ହାଜର କରିବ ବୋଲି ଆଶା କରାଯାଉଛି, ଯାହା “ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ’ (ପିଏମଏଲଏ) ଅଧୀନରେ ଥିବା ମାମଲାଗୁଡ଼ିକର ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି। ଏହି ମାମଲାଟି ଆଜମ ଖାନ, “ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ’ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ଜଡ଼ିତ। ରାମପୁରରେ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣ ସମୟରେ ପାଣ୍ଠି ଏବଂ ଅନ୍ୟାନ୍ୟ ସମ୍ବଳର ଅପବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି ଏବଂ ଏହାର ତଦନ୍ତ ଚାଲିଛି। ବୁଧବାର ଦିନ, ଇଡି ବିଶ୍ୱବିଦ୍ୟାଳୟର ଜମି ଏବଂ କୋଠାବାଡ଼ିକୁ ଜବତ (ପିଏମଏଲଏ) କରିଥିଲା। ଜୌହର ନଗର ଗ୍ରାମରେ ଅବସ୍ଥିତ ଏହି ସମ୍ପତ୍ତିଗୁଡ଼ିକର ବର୍ତ୍ତମାନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧,୧୭୦ କୋଟି ଟଙ୍କା ଅଟେ। ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ଅଧୀନରେ ରହିଛି, ଯାହାକୁ ଆଜମ ଖାନ ସ୍ଥାପନ କରିଥିଲେ ଏବଂ ସେ ଏହାକୁ ପରିଚାଳନା ମଧ୍ୟ କରନ୍ତି। ସେ ଏହି ଅନୁଷ୍ଠାନର ସମ୍ମାନିତ ଚାନ୍େସଲର (କୁଳାଧିପତି) ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ପିଏମଏଲଏ ଅଧୀନରେ ଚାଲିଥିବା ତଦନ୍ତରେ, ଋଊ ୪୨୬.୪୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଚିହ୍ନଟ କରିଛି, ଯାହା ଅପରାଧରୁ ମିଳିଥିବା ଅର୍ଥ ବୋଲି ଅଭିଯୋଗ ହୋଇଛି। ଏଜେନ୍ସିର ଅଭିଯୋଗ ଅନୁଯାୟୀ, ସରକାରୀ ପାଣ୍ଠି, ନିର୍ମାଣ ସାମଗ୍ରୀ ଏବଂ ସରକାରୀ କାର୍ଯ୍ୟରେ ନିୟୋଜିତ ଠିକାଦାରମାନଙ୍କଠାରୁ ମିଳିଥିବା ଦାନକୁ ବିଶ୍ୱବିଦ୍ୟାଳୟ ପରିସରର ବିକାଶ କାର୍ଯ୍ୟରେ ଲଗାଯାଇଥିଲା।
