୧୪ ମାସ ପରେ ଜନ୍ମମାଟିକୁ ଚତୁର୍ଥଥର ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨ ତାରିଖଠାରୁ ଓଡିଶା ଗସ୍ତରେ ଥିବା ବେଳେ, ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସକାଳେ ମହାମହିମ ପୁରୀଠାରେ ପିଣ୍ଡଦାନ କରି ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ପରେ ପରେ ମୟୂରଭଞ୍ଜ ଗସ୍ତରେ ଆସି ଧାର୍ଯ୍ୟ ସମୟ ଦିବା ୧୧.୧୦ ମିନିଟରେ ରାଇରଙ୍ଗପୁର ଦଣ୍ଡବୋଷ ହେଲିପେଡରେ ଅବତରଣ କରିବା ପରେ ସେଠାରୁ ସଡ଼କପଥରେ ଯାଇ ରାଇରଙ୍ଗପୁର ସ୍ଥିତ କେନ୍ଦ୍ର ସରକାରଙ୍କ ଦ୍ୱାରା ନବନିର୍ମିତ ହୋଲିଡେ ହୋମ୍‌ର ଉଦ୍‌ଘାଟନ କରିଥିଲେ। ୧୬ଟି କୋଠରୀ ବିଶିଷ୍ଟ ଏହି ଭବ୍ୟ ଅଟ୍ଟାଳିକାରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଏହିଠାରେ ଅବସ୍ଥାନ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ। ପରେ ପରେ ମହାମହିମ ମହୁଲଡିହା ସ୍ଥିତ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିବା ସହ ଭଞ୍ଜବୀର ସୁନାରାମ ସୋରେନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଥିଲେ । ଏହାପରେ ମହାମହିମ ରାଷ୍ଟ୍ରପତି ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଦର୍ଶନ ଓ ପୂଜା କରିଥିଲେ । ତିନିଜଣ ପୂଜକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରକାଶ ଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମହାଦେବ ମନ୍ଦିରରେ ପୂର୍ବରୁ ନିୟମିତ ସେବା ପୂଜା କରୁଥିଲେ । ସେହିପରି ଯେତେବେଳେ ବିଜେପି ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଥିଲା ସେତେବେଳେ ସେ ଏହି ମନ୍ଦିରରେ ଝାଡୁ ମାରିଥିଲେ । ଯାହାର ଦୃଶ୍ୟ ସେତେବେଳେ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା । ପୁର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜା ସାରି ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ନିଜ ବାସ ଭବନକୁ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ଅପରାହ୍ନ ୪ଘଟିକାରେ କଚେରୀ ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସନ୍ଧ୍ୟାରେ ପୁଣି ହୋଲି ଡେ ହୋମ ଆସି ବିଭିନ୍ନ ବର୍ଗର ଲୋକଙ୍କ ସହ ଭେଟ କରିବା ପରେ ନିଜ ବାସ ଭବନକୁ ପ୍ରତ୍ୟାବର୍ତ୍ତନ କରି ରାତ୍ରି ଯାପନ କରିଥିଲେ । ଗୁରୁବାର ମହାମହିମ ଘରେ ଜଳଖିଆ କରି ସକାଳ ୯ ଘଟିକାରେ ନିଜ ଶଶୁର ଘର ଗାଁ ପାହାଡ଼ପୁର ଅଭିମୁଖେ ଗସ୍ତ କରିବେ । ଅପରାହ୍ନ ୧ଟା ୧୦ମିନିଟ ସମୟରେ ରାଇରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାସ ଭବନକୁ ଫେରି ବିଶ୍ରାମ ନେବେ । ପୁଣି ଅପରାହ୍ନ ୩ଘଟିକାରେ ଦାଣ୍ଡବୋଷ ଆସି ହେଲିକ୍ୟାପ୍ଟର ଯୋଗେ ବାହାରି ଯଶିପୁର ଗସ୍ତ କରି ସେଠାରୁ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବେ । ଶିମିଳିପାଳ ବୁଲିବା ସହ ଗୁରୁଗୁଡ଼ିଆଠାରେ ରାତ୍ର ଭୋଜନ କରି ରାତ୍ରିଯାପନ ମଧ୍ୟ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କେବଳ ମୟୂରଭଞ୍ଜ ଜିଲ୍ଲାରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୪ ମାସ ପରେ ରାଷ୍ଟ୍ରପତିଙ୍କ ନିଜ ଜନ୍ମମାଟି ମୟୂରଭଂଜକୁ ଏହା ଚତୁର୍ଥ ଗସ୍ତ କାର୍ଯ୍ୟକ୍ରମ ଥିଲା।

Leave a Reply

Your email address will not be published. Required fields are marked *

error: Content is protected !!