ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ ସିଂହ

Spread the love

ଇମ୍ଫାଲ: ବରିଷ୍ଠ ବିଜେପି ନେତା ୟୁ୍‌ମନାମ ଖେମଚାନ୍ଦ ସିଂହ ବୁଧବାର ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ମଣିପୁର ବିଜେପି ବିଧାୟକ ଦଳର ନେତା ଭାବେ ତାଙ୍କୁ ନିର୍ବାଚିତ କରାଯାଇଥିଲା। ସିଂହଙ୍କ ସହ ନାଗା ଓ କୁକି-ଜୋ ସଂପ୍ରଦାୟର ଦୁଇଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ନାଗା ପିପୁଲ୍ସ ଫ୍ରଣ୍ଟର ବିଧାୟକ ଲୋସି ଡିଖାଓ ଓ କୁକି ଜୋର ବିଜେପି ବିଧାୟକ ନେମଚା କିପ୍‌ଜେନ। ନେମଚା ନୂଆଦିଲ୍ଲୀର ମଣପୁର ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଶପଥ ନେଇଥିଲେ। ରାଜ୍ୟରେ ଜାତିଆଣ ହିଂସା ପାଇଁ ୨୦୨୫ ଫେବ୍ରୁଆରୀ ୯ରେ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ ସିଂହ ଇସ୍ତଫା ଦେଇଥିଲେ। ଏହାପରେ ସେହି ମାସ୧୩ ତାରିଖରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଆଜି ରାଜ୍ୟରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଥିଲା। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। ଏହାପରେ ଶପଥଗ୍ରହଣ ଉତ୍ସବ ମଣିପୁରର ଲୋକଭବନରେ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏ. ବୀରେନ ସିଂହ ଓ ଇବୋବି ସିଂହ, ଆର.କେ. ରାଧାଗୋବିନ୍ଦଙ୍କ ସହ ବହୁ ବିଧାୟକ ଉପସ୍ଥିତ ଥିଲେ। ୬୨ ବର୍ଷୀୟ ୟୁ୍‌ମନାମ ୨୦୧୭ ଓ ୨୦୨୨ରେ ଦୁଇଥର ସିଂହଜାମେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ରାଜନୀତି ବ୍ୟତୀତ ୟୁମନାମ ଟାଇକୋଣ୍ଡୋ ଖେଳ ସହ ବହୁ ଦିନରୁ ଜଡ଼ିତ ରହିଛନ୍ତି। ଟାଇକୋଣ୍ଡୋରେ ସେ ଜଣେ ବ୍ଲାକବେଲ୍ଟଧାରୀ ଖେଳାଳି। ଭାରତୀୟ ଟାଇକୋଣ୍ଡୋ ଫେଡେରେସନର ସେ ଉପସଭାପତି ରହିଥିଲେ। ରାଜ୍ୟରେ କ୍ରୀଡ଼ାର ବିକାଶରେ ତାଙ୍କର ଭାଗୀଦାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!