ମୁମ୍ବାଇ : ବାରମତୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏନ୍ସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଶନିବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ସୁନେତ୍ରା ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସଂଧ୍ୟାରେ ଲୋକ ଭବନରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୁନେତ୍ରାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରିଣ୍ଡଳର ସଦସ୍ୟ ଓ ବିଧାୟକଗଣ ଉପସ୍ଥିତ ଥିଲେ। ଏନସିପି ମନ୍ତ୍ରୀ, ବିଧାୟକ ଓ କର୍ମୀଗଣ ‘ଅଜିତ ଦାଦା ଅମର ରହେ, ସୁନେତ୍ରା ତାଇ ଆଗେ ବଢ଼ୋ’ ବୋଲି ସ୍ଲୋଗାନ ଦେଇଥିଲେ। ସମୁଦାୟ ଶପଥଗ୍ରହଣ କାର୍ଯ୍ୟକ୍ରମ ୧୦ ମିନିଟ୍ରେ ସୀମିତ ରହିଥିଲା। ତେବେ ଶପଥଗ୍ରହଣ ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ବୋଲି ଏନସିପି(ଏସପି) ମୁଖ୍ୟ ଶରଦ ପାୱାର ସୂଚନା ଦେଇଛନ୍ତି। ଅଜିତ ପାୱାରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ସୁନେତ୍ରାଙ୍କ ସାନପୁଅ ଜୟଙ୍କୁ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା।
ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା














Leave a Reply