ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳାଙ୍କ ମାସିକ ଧର୍ମ ଏବେ ମୌଳିକ ଅଧିକାର, ସବୁ ସ୍କୁଲ ଯୋଗାନ୍ତୁ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍

Spread the love

ନୂଆଦିଲ୍ଲୀ: ମହିଳାଙ୍କ ମାସିକ ଧର୍ମ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଶୀର୍ଷ ଅଦାଲତ ମହିଳାଙ୍କ ମାସିକ ଧର୍ମ ଅଧିକାରକୁ ମୌଳିକ ଅଧିକାର ଭାବେ ଘୋଷଣା କରିଛନ୍ତି। ଏଥି ସହିତ ସରକାରୀ ଓ ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ଜୈବ-ବିଘଟନ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିକ ପ୍ରଦେଶକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଖିଲାପ ହେଲେ ସଂପୃକ୍ତ ଶିକ୍ଷାନୁଷ୍ଠାନର ସ୍ୱୀକୃତି ରଦ୍ଦ କରିଦିଆଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍ ଜେବି ପରଦିୱାଲା ଓ ଜଷ୍ଟିସ ଆର ମହାଦେଦବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମାସିକ ଧର୍ମ ସହ ଜଡିତ ସ୍ୱାସ୍ଥ୍ୟ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ବଞ୍ଚିବାର ଅଧିକାରର ଅଂଶବିଶେଷ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ସବୁ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ପୃଥକ ଶୌଚାଳୟର ବ୍ୟବସ୍ଥା କରାଯିବା ଉଚିତ। ସବୁ ସ୍କୁଲରେ ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ ରହିବା ଅନିବାର୍ଯ୍ୟ। ଖଣ୍ଡପୀଠ କହିଛନ୍ତି ମାସିକ ଧର୍ମ ସମୟରେ ସଫାସୁତରା ଓ ଗୋପନୀୟତା ନ ମିଳିବା କାରଣରୁ ଛାତ୍ରୀମାନଙ୍କୁ ପାଠପଢ଼ାରୁ ଦୂରେଇ ରହିବାକୁ ପଡ଼ୁଛି। ଏହି ନିର୍ଦ୍ଦେଶନାମାକୁ ଯଦି କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶ ଲାଗୁ ନ କରନ୍ତି, ତେବେ ତାଙ୍କଠାରୁ ଜବାବ ତଲବ କରାଯିବ। ଏହା କେବଳ ସ୍କୁଲର ଦାୟିତ୍ୱ ନୁହେଁ, ସରକାରଙ୍କ ସାମ୍ବିଧାନିିକ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି। ଜୟା ଠାକୁରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!