‘ଓଡ଼ିଶା ହେବ ଦେଶର ଶିଳ୍ପ ହବ: ୨୨ ଟି ବୁଝାମଣାପତ୍ର ସ୍ୱାକ୍ଷର, ୫୨,୦୨୬ କୋଟି ନିବେଶ, ୨୦୪୨୭ ନିଯୁକ୍ତି ସୁଯୋଗ

Spread the love

ଭୁବନେଶ୍ୱର(ବ୍ୟୁରୋ): ଆମ ସରକାରଙ୍କ ନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକ ସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ। ଆଜି ରାଉରକେଲାଠାରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପଦ୍ୟୋଗୀ ଓ ଅଂଶୀଦାରମାନଙ୍କ ସହ ସକାରାତ୍ମକ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ୩୫,୮୮୦ କୋଟି ଟଙ୍କା ମୂଲ୍ୟର ୨୩ଟି ନୂଆ ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ୧୧,୮୪୪ ରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟର କୋଣ ଅନୁକୋଣରେ ଏକ ଅନ୍ତର୍ଭୁକ୍ତିକରଣ ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ଭାବେ ଗଢ଼ିତୋଳିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ରାଉରକେଲାରେ ଅନୁଷ୍ଠିତ ଏଣ୍ଟରରପ୍ରାଇଜ୍ ଓଡ଼ିଶା ୨୦୨୬ର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପଶ୍ଚିମ ଓଡ଼ିଶାକୁ ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ମୂଳ ଇଞ୍ଜିନ କହିଛନ୍ତି। ସେ କହିଲେ, ଆମ ରଣନୀତି ହେଉଛି ସ୍ପଷ୍ଟ। ରାଜ୍ୟର ପ୍ରତିଟି ଅଞ୍ଚଳରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ପ୍ରତିଷ୍ଠା କରିବା ଏବଂ ସେମାନଙ୍କୁ ଯୋଗାଣକାରୀ, ଭେଣ୍ଡର, ଲଜିଷ୍ଟିକ୍ସ ସହଯୋଗୀ, ଫେବ୍ରିକେଟର, ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନକାରୀ, ପ୍ରଯୁକ୍ତି ସହଯୋଗୀ ଓ ପ୍ୟାକେଜିଂ ୟୁନିଟ୍‌ର ସୁବିଧା ଯୋଗାଇ ଦେବା। ଏହା ହେଲେ ଆମ ଯୁବପିଢ଼ିଙ୍କୁ ଆଉ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହା ହେଉଛି ଏଣ୍ଟରପ୍ରାଇଜ୍ ଓଡ଼ିଶାର ରୌପ୍ୟ ଜୟନ୍ତୀ ସମାରୋହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୫୭୦୮ କୋଟି ଟଙ୍କା ନିବେଶର ୧୧ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି, ଯାହାର ପ୍ରଭାବରେ ୪୧୮୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥି ସହିତ ସେ ୩,୧୭୬ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଯାଉଥିବା ୯ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ସେ ରାଉରକେଲା ଚାମ୍ବର ଅଫ୍ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ ନିର୍ମାତା ସଂଘ ଏବଂ ରାଞ୍ଚି ଓ ରାୟପୁରରୁ ଆସିଥିବା ପ୍ରତିନିଧିମାନଙ୍କ ସହ ତିନିଟି ରାଉଣ୍ଡଟେବୁଲ୍ ବୈଠକରେ ଆଲୋଚନା କରିଥିଲେ। ରାଉରକେଲା-ରାଞ୍ଚିରାଉରକେଲା (ଆରଆରଆର) କରିଡର ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ରାଉଣ୍ଡ୍‌ଟେବୁଲ୍ ବୈଠକରେ ୪୩,୩୪୯ କୋଟି ଟଙ୍କା ନିବେଶର ୨୨ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଥିଲା। ଏଥି ସହିତ ୮୬୭୭ କୋଟି ଟଙ୍କାର ୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଥିଲା। ମୋଟ୍ ଉପରେ ଏଥିରୁ ୫୨,୦୨୬ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୦,୪୨୭ ନୂତନ ନିଯୁକ୍ତି ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌କୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସ୍ଥାପନ କରିବାକୁ ଥିବା ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ମେଲଟର ଓ ୪୯୦୦ ମେଗାୱାଟ୍‌ର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟପ୍ରକଳ୍ପ ପାଇଁ ୧୪୪୭.୯୨୭ ଏକର ଜମି ହସ୍ତାନ୍ତର ପତ୍ର ପ୍ରଦାନ କରିଥିଲେ। କିଛିଦିନ ପୂର୍ବେ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ନିବେଶକମାନଙ୍କ ଆଗ୍ରହ ବୁଝାମଣାପତ୍ରରେ ପରିଣତ ହୋଇଛି।ଆମେ ଶୀଘ୍ର ଜମି ଆବଣ୍ଟନକରି ପ୍ରକଳ୍ପକୁ ସ୍ଥାପନ କରିବା ସହ ଉତ୍ପାଦନ ଆରମ୍ଭ କରିବା ଉପରେ ଗୁରୁତ୍ୱାରୋପ କରୁଛୁ। ପଶ୍ଚିମ ଓଡ଼ିଶାରେ ଆନୁଷଙ୍ଗିକ ମାନୁଫାକ୍‌ଚରିଂ ଓ ଧାତବ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ବହୁ ବିଶିଷ୍ଟ ଶିଳ୍ପପତି, ନିବେଶକ, ସିଆଇଆଇର ପ୍ରତିନିଧି ଓ ଅନ୍ୟମାନେ ଯୋଗଦେଇଥିଲେ। ବୃହତ୍ ଶିଳ୍ପ ମଧ୍ୟରେ ଟାଟା ଷ୍ଟିଲ୍‌, ଏମ୍‌ସିଏଲ୍‌, ଜେଏସ୍‌ଡବ୍ଲ୍ୟୁ, ବେଦାନ୍ତ, ଡାଲମିଆ ସିମେଣ୍ଟସେଲ୍‌, ଏଏମ୍‌ଏନ୍‌ଏସ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!