ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ମୋଟ ୧୩୧ଜଣ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୫ଜଣଙ୍କୁ ପଦ୍ମବିଭୂଷଣ, ୧୩ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତାଲିିକାକୁ ଅନୁମୋଦନ କରିଛନ୍ତି। ଚଳିତ ବର୍ଷର ପଦ୍ମ ପୁରସ୍କାର ତାଲିକାରେ ୧୯ଜଣ ମହିଳା, ବିଦେଶୀ ଏନଆରଆଇ/ ପିଆଇଓ ବର୍ଗରେ ୬ଜଣ, ମରଣୋତ୍ତର ଭାବେ ୧୬ଜଣ ରହିଛନ୍ତି। ମୁଖ୍ୟତଃ କଳା, ସମାଜସେବା, ସାର୍ବଜନୀତ କ୍ଷେତ୍ର, ବିଜ୍ଞାନ, ଇଂଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଓøଷଧ,ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସାଧାରଣ ପ୍ରଶାସନ ଇତ୍ୟାଦି କ୍ଷେତ୍ରରେ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାର ତାଲିକାରେ ଓଡ଼ିଶାର ୪ଜଣଙ୍କ ନାମ ରହିଛି। ସେମାନେ ହେଲେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଚଳ ପାତ୍ର ଓ ଶରତ କୁମାର ପାତ୍ର। ସମସ୍ତଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।

ଦିବଂଗତ ଅଭିନେତା ଧର୍ମେନ୍ଦ୍ର, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯିବ। ସେହିପରି ଏଡ୍ ଗୁରୁ ଭାବେ ପରିଚିତ ପୀୟୂଷ ପାଣ୍ଡେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ଶିବୁ ସୋରେନ ଓ ଭାଜପା ନେତା ବି.କେ. ମାଲହୋତ୍ରା ମରଣୋତ୍ତର ଭାବେ ପଦ୍ମଭୂଷଣ ପୁରସ୍କାର ପାଇବେ। ଅଭିନେତା ସତୀଶ ଶାହାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାର ମିଳିବ। ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନିକ୍, ଅଭିନେତା ମାମୁଟି, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶୟାରୀ, ବ୍ୟାଙ୍କର ଉଦୟ କୋଟକ, ପ୍ରଖ୍ୟାତ ଟେନିସ୍ ଖେଳାଳି ବିଜୟ ଅମୃତରାଜ ପଦ୍ମଭୂଷଣ ପାଇଁ ମନୋନୀତ ହୋଇଛନ୍ତି। ସେହିପରି କ୍ରିକେଟର ରୋହିତ ଶର୍ମା, ହକି ଖେଳାଳି ସବିତା ପୁନିଆ, ଜେଏନ୍ୟୁର ପୂର୍ବତନ କୁଳପତି ଏମ. ଜଗଦୀଶ କୁମାର, ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶୀଶେଖର ବେମ୍ପତି, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ୍ କୌର ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।













Leave a Reply