ନୂଆଦିଲ୍ଲୀ: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାମ୍ବାଦିକ ତଥା ଲେଖକ ମାର୍କ ଟୁଲିଙ୍କର ରବିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ବିବିସର ଦିଲ୍ଲୀ ବ୍ୟୁରୋ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା କାର୍ଯ୍ୟ କରିଥିଲେ। ତାଙ୍କୁ ବିବିସିର ଭଏସ୍ ଅଫ୍ ଇଣ୍ଡିଆ ଭାବେ ବିବେଚନା କରାଯାଏ। ତାଙ୍କ କାର୍ଯ୍ୟକାଳ ଭିତରେ ସେ ବାଂଲାଦେଶ ଯୁଦ୍ଧ, ଜରୁରୀକାଳୀନ ପରିସ୍ଥିତି, ଭୋପାଳ ଗ୍ୟାସ୍ ଦୁର୍ଘଟଣା, ଭାରତୀୟ ସେନାର ଅପରେସନ ବ୍ଲୁଷ୍ଟାର, ଇନ୍ଦିରା ଗାନ୍ଧୀ ହତ୍ୟାକାଣ୍ଡ, ଶିଖ୍ ବିରୋଧୀ ଦଙ୍ଗା, ବ୍ରାବି ମସଜିଦ ଭଙ୍ଗ ଘଟଣା, ଭଳି ସମ୍ବେଦନଶୀଳ ପ୍ରସଂଗ ଉପରେ ଗୁରୁ୍ତ୍ୱପୂର୍ଣ୍ଣ ରିପୋର୍ଟିଂ କରିଥିଲେ। ୧୯୩୫ ମସିହାରେ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ କଲିକତାରେ ଟୁଲି ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ବ୍ୟବସାୟୀ ଥିଲେ। ମା’ ମଧ୍ୟ କଲିକତାରେ ଜନ୍ମ ନେଇଥିଲେ। ଦାର୍ଜିଲିଂର ଏକ ବୋର୍ଡିଂ ସ୍କୁଲରେ ପଢ଼ା ଶେଷ କରିବା ପରେ ତାଙ୍କୁ ଅଧିକ ଶିକ୍ଷା ଗ୍ରହଣ ପାଇଁ ଇଂଲଣ୍ଡ ପଠାଯାଇଥିଲା। ସେ ପ୍ରସିଦ୍ଧ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ୧୯୬୪ ମସିହାରେ ବିବିସି ତାଙ୍କୁ ନୂଆଦିଲ୍ଲୀ ପ୍ରତିନିଧି ଭାବେ ନିଯୁକ୍ତ କରିଥିଲା। ଏହିଠାରୁ ହିଁ ତାଙ୍କୁ ଦେଶ ବିଦେଶରେ ନୂଆ ପରିଚିତି ମିଳିଥିଲା। ଭାରତକୁ ସେ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଥିଲେ। ଭାରତକୁ ସେ ଖୁବ୍ ଭଲ ପାଉଥିଲେ। ଟୁଲି ନିଜର ଭାବଗମ୍ଭୀର ସ୍ୱର, ପରିବେଷଣ ଶେଳୀ ପାଇଁ ବିବିସିର ବ୍ରିଟେନ୍ ଶ୍ରୋତାଙ୍କ ନିକଟରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। ୨୦୦୨ ମସିହାରେ ସେ ବ୍ରିଟିଶ ସାମ୍ରାଜ୍ୟର ନାଇଟ୍ କମାଣ୍ଡର ଭାବେ ନିଯୁକ୍ତି ପାଇଥିଲେ। ସାମ୍ବାଦିକତା ବ୍ୟତୀତ ସେ ଜଣେ ଭଲ ଲେଖକ ଥିଲେ। ତାଙ୍କ ଲିଖିତ ପୁସ୍ତକ ମଧ୍ୟରେ ‘ନୋ ଫୁଲ୍ ଷ୍ଟପ୍ ଇନ୍ ଇଣ୍ଡିଆ’, ‘ଇଣ୍ଡିଆ ଇନ୍ ସ୍ଲୋ ମୋଶନ’, ‘ଦ ହାର୍ଟ ଅଫ୍ ଇଣ୍ଡିଆ’ ଆଦି ଅନ୍ୟତମ। ପୁସ୍ତକଗୁଡ଼ିକ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲା।
ପ୍ରଖ୍ୟାତ ସାମ୍ବାଦିକ, ଲେଖକ ମାର୍କ ଟୁଲିଙ୍କ ପରଲୋକ













Leave a Reply