ସଂସଦର ବଜେଟ୍ ଅଧିବେଶନ: ୨୭ରେ ସର୍ବଦଳୀୟ ବୈଠକ

Spread the love

ନୂଆଦିଲ୍ଲୀ: ଜାନୁଆରୀ ୨୮ରେ ସଂସଦର ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଜାନୁଆରୀ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ସର୍ବଦଳୀୟ ବୈଠକ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁଙ୍କ ଆବାହକତ୍ୱରେ ପୂର୍ବାହ୍ଣ ୧୧ଟା ସମୟରେ ସଂସଦର ମୁଖ୍ୟ କମିଟି ହଲରେ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ତାରିଖ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ଯାଏ ଚାଲିବାର କାର୍ଯ୍ୟସୂଚୀ ରହିଛି। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂବୋଧିତ କରିବେ। ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଲଗାତର ୯ମ ଥର ପାଇଁ ନିର୍ମଳା ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ବିଶେଷ କଥାଟି ହେଉଛି, ବାଣିଜ୍ୟ ଅସନ୍ତୁଳନ ଓ ରୁଷଠାରୁ ତୈଳ କିଣି ୟୁକ୍ରେନ୍ ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଗୁ କରିଥିବା ୫୦ ପ୍ରତିଶତ ଟାରିଫ୍ ବିବାଦ ଭିତରେ ନିର୍ମଳା ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟାରିଫକୁ ଅନ୍ୟାୟ ବୋଲି ବର୍ଣ୍ଣନା କରି ଭାରତର ସ୍ୱାର୍ଥରକ୍ଷା ପାଇଁ ସେ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!